ବିପଦ ସଂକୁଳ ଭାବେ ଚାଲିଛି ଡ୍ୟୁଟି : ଅସୁରକ୍ଷିତ ଟ୍ରାଫିକ କର୍ମଚାରୀ

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ପୌରାଞ୍ଚଳ ଅନ୍ତର୍ଗତ ନୀଳବେର୍ଣ୍ଣୀ ସାହି ନିକଟ ଦେଇ ଯାଇଥିବା ୪୯ନଂ ଜାତୀୟ ରାଜପଥ ବାଇପାସ ରାସ୍ତାଠାରୁ ପୁଲିସ ବିଭାଗ ପକ୍ଷରୁ ସ୍ଥାୟୀ ଟ୍ରାଫିକ ପୋଷ୍ଟ ନିର୍ମାଣ କରାଯାଇ ନଥିବାରୁ ଦାୟିତ୍ୱରେ ଥିବା ଟ୍ରାଫିକ କର୍ମଚାରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି। ଉକ୍ତ ବାଇପାସ ରାସ୍ତା ଦେଇ କୋଲକାତା –ମୁମ୍ବାଇ, ରାଞ୍ଚି –ବିଜୟୱାଡ଼ା ସଂଯୋଗ କରୁଥିବାବେଳେ ପ୍ରତ୍ୟେହ ଶତାଧିକ ଯାନବାହାନ ଚଳାଚଳ କରିଥାଏ। ସେହିପରି ଦେବଗଡ଼ ଜିଲ୍ଲା ମୁଖ୍ୟାଳୟକୁ ଆସିବା ପାଇଁ ଉକ୍ତ ରାସ୍ତା ଦେଇ ତିଲେଇବଣୀ ଓ ରିଆମଳ ବ୍ଲକ ଅନ୍ତର୍ଗତ ୧୫ରୁ ଉର୍ର୍ଦ୍ଧ ପଞ୍ଚାୟତର ଜନସାଧାରଣ ଯିବା ଆସିବା କରିଥାନ୍ତି। ତେବେ ବାଇପାସ ଛକଠାରେ ଦୁର୍ଘଟଣା ଏଡ଼ାଇବା ପାଇଁ ଜିଲ୍ଲା ପୁଲିସ ପକ୍ଷରୁ ଟ୍ରାଫିକ କର୍ମଚାରୀଙ୍କୁ ନିଯୁକ୍ତି କରାଯାଇଥିଲେ ମଧ୍ୟ ବିଭାଗ ପକ୍ଷରୁ ସେମାନଙ୍କ ସୁରକ୍ଷା ଏବଂ ସୁବିଧା ପାଇଁ କୌଣସି ବ୍ୟବସ୍ଥା କରାଯାଇ ନଥିବାରୁ ସେଠାରେ କାର୍ଯ୍ୟରତ ଟ୍ରାଫିକ କର୍ମଚାରୀମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଉକ୍ତ ରାସ୍ତାକଡ଼ରେ ଗଛଟିଏ ମଧ୍ୟ ନ ଥିବାରୁ ଦିନ ତମାମ ଟ୍ରାଫିକ କର୍ମଚାରୀମାନେ ଖରା ଓ କଂକ୍ରୀଟ ରାସ୍ତାର ଭାଁପରେ ସିଝି ଯାଉଥିବା ବେଳେ ସେମାନଙ୍କ ପାଇଁ ପାଣି ବ୍ୟବସ୍ଥା ନଥିବାରୁ ନିଜେ ଘରୁ ନେଇ ଯାଉଥିବା ପିଇବା ପାଣି ମଧ୍ୟ ଖରା ସମୟରେ ଗରମ ହୋଇ ତୃଷ୍ଣା ମେଣ୍ଟାଇବାରେ ଅସମର୍ଥ ହୋଇ ପଡୁଛି। ସୁରକ୍ଷା ପାଇଁ ଟ୍ରାଫିକ ପୋଷ୍ଟ ନଥିବାରୁ କର୍ମଚାରୀମାନେ ବିପଦ ସଂକୁଳ ଭାବେ ରାସ୍ତା ଉପରେ ଛିଡ଼ା ହୋଇ ଯାନବାହାନ ନିୟନ୍ତ୍ରଣ କରୁଥିବାରୁ ସେହି ମୁହୁର୍ତ୍ତରେ ଦୁର୍ଘଟଣା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ। ଆଗାମୀ ଦିନରେ ଗ୍ରୀଷ୍ମର ପ୍ରକୋପ ଆହୁରି ବଢ଼ିବାକୁ ଥିବାବେଳେ ଟ୍ରାଫିକ କର୍ମଚାରୀଙ୍କ ଲାଗି କୌଣସି ପଦକ୍ଷେପ ଗ୍ରହଣ କରାନଗଲେ ଟ୍ରାଫିକ କର୍ମଚାରୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି। ଏଣୁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଟ୍ରାଫିକ କର୍ମଚାରୀଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ବହୁ ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତି।