ନକଲି ବିଦେଶୀ ମଦ କାରଖାନା ଠାବ, ୭ ବିହାରୀ ଯୁବକ ଗିରଫ୍‌

ବଲାଙ୍ଗିର,ଏନ୍ଏନ୍‌ଏସ୍‌: ବଲାଙ୍ଗିର ସହରରେ ନକଲି ବିଦେଶୀ ମଦ ତିଆରି କରୁଥିବା ୭ ବିହାରୀ ଯୁବକଙ୍କୁ ଗିରଫ୍‌ କରି ଆଜି ପୁଲିସ କୋର୍ଟ ଚାଲାଣ କରିଥିବା ବଲାଙ୍ଗିର ଏସ୍‌ଡିପିଓ ତୋଫାନ ବାଗ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସ୍ଥାନୀୟ ଉଦୟନଗରରେ କିଛି ବିହାରୀ ଯୁବକ ନକଲି ବିଦେଶୀ ମଦ ତିଆରି କରୁଥିବା ବିଶ୍ୱସ୍ତ ସୂତ୍ରରୁ ପୁଲିସକୁ ଖବର ମିଳିଥିବା ବେଳେ ଏସ୍‌ପି ନୀତିନ କୁଶଲକରଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ୍‌ ଗଠନ କରାଯାଇଥିଲା। ଏହି ଟିମ୍‌ରେ ଏସ୍‌ଡିପିଓ ଶ୍ରୀ ବାଗଙ୍କ ସମେତ ବଲାଙ୍ଗିର ଟାଉନ ଥାନା ଆଇଆଇସି କେ. ପ୍ରିୟଙ୍କା ରାଉତରାୟ, ସଦର ଥାନା ଆଇଆଇସି ଶ୍ରୀକାନ୍ତ ସାହୁ ଓ ଅନ୍ୟ ବିଭାଗୀୟ ଅଧିକାରୀ ଏବଂ କର୍ମଚାରୀ ସାମିଲ ଥିଲେ।

ମିଳିଥିବା ସୂଚନା ଆଧାରରେ ପୁଲିସ ଗତକାଲି ଘଟଣା ସ୍ଥଳରେ ଆକସ୍ମିକ ଚଢ଼ଉ କରି ୭ ଜଣ ବିହାରୀ ଯୁବକଙ୍କୁ କାବୁ କରିଥିବା ବେଳେ ସେମାନଙ୍କଠାରୁ ନକଲି ମଦ ଲିକୁଇଡ୍‌ ଭର୍ତ୍ତି ପ୍ଲାଷ୍ଟିକ୍‌ ଜାର୍‌, ଥିନର୍‌, ସ୍ପିରିଟ୍‌, ଗ୍ୟାସ୍‌ ବର୍‌ନର୍‌, ବୋଟ୍‌ଲିଂ ପାଇଁ ବହୁ ପରିମାଣର ଠିପି, ୪ଟି ମୋଟର ସାଇକେଲ ଓ ନଗଦ ୬ ଲକ୍ଷ ୭୩ ହଜାର ଟଙ୍କା ଜବତ୍‌ କରିଥିଲା। ଗିରଫ୍‌ ହୋଇଥିବା ୭ ଜଣ ବିହାରୀ ଯୁବକ ବିବେକ କୁମାର ସାହୁ, ପୱନ କୁମାର ସାହୁ, ଅରୁଣ ପ୍ରସାଦ, ସଂଜୟ କୁମାର ରାୟ, ଶୈଳେଶ କୁମାର, ସୋନୁ କୁମାର ଠାକୁର ଏବଂ ବିଟୁ କୁମାର ଗୁପ୍ତାଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ତେବେ ଅଭିଯୁକ୍ତମାନେ ନକଲି ବିଦେଶୀ ମଦ ତିଆରି କରି ଆଖପାଖ ଗାଁରେ ବିକ୍ରି କରୁଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।