ଡୁଙ୍ଗୁରିପାଲିରେ ସୁରକ୍ଷା ବାଡ଼ ଭାଙ୍ଗିବା ଘଟଣା, ୨ ଅଭିଯୁକ୍ତ କୋର୍ଟ ଚାଲାଣ

ସଇଁନ୍ତଲା,ଏନ୍‌ଏନ୍‌ଏସ୍‌: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଡୁଙ୍ଗୁରିପାଲି ପଞ୍ଚାୟତରେ ଗତ କିଛି ଦିନ ହେବ ସୋଲାର ପ୍ଲାଣ୍ଟ ନିର୍ମାଣ କାର୍ଯ୍ୟକୁ ନେଇ ଗ୍ରାମବାସୀ ଓ ପ୍ରଶାସନ ମଧ୍ୟରେ ଅନେକ ବିବାଦ ଦେଖା ଦେଇଛି । ଏନେଇ ମଙ୍ଗଳବାର ବିଳମ୍ବିତ ରାତିରେ ଗ୍ରାମର କିଛି ଲୋକ ଆସି ପ୍ଲାଣ୍ଟର ମୂଲ୍ୟବାନ ସାମଗ୍ରୀ ଭାଙ୍ଗିଥିବା ନେଇ ଅଭିଯୋଗ ହୋଇଥିଲା । ପୁଲିସ ତଦନ୍ତ ପରେ ୨ଜଣଙ୍କୁ ପଚରାଉଚରା କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତଦ୍ୱୟ ହେଲେ ଡୁଙ୍ଗୁରିପାଲି ଗାଁର ଯୌତୁକ ମାଝୀ(୫୬) ଓ ତେଣ୍ଡଲିପାଲି ଗାଁର ଲୋଚନ ସାହୁ(୨୮) ।

ମିଳିଥିବା ରିପୋର୍ଟ ମୁତାବକ, ମଙ୍ଗଳବାର ବିଳମ୍ବିତ ରାତିରେ ଗ୍ରାମବାସୀମାନେ ଆସି ଜେନେଲେଟର, ଜେଇ ପୋଲ, ବେରୀଗେଟ, କିଛି ସୋଲାର ଲାଇଟ ଓ ମିକ୍ସଚର ମେସିନ ସହ ୫ଲକ୍ଷରୁ ଅଧିକ ସୋଲାର ପ୍ଲାଣ୍ଟର ମୂଲ୍ୟବାନ ସାମଗ୍ରୀକୁ ଭାଙ୍ଗିଥିଲେ ଏବଂ କିଛି ଚୋରୀ କରି ନେଇଥିଲେ । ଅନ୍ୟପଟେ ଉକ୍ତ ପ୍ଲାଣ୍ଟରେ ସୁରକ୍ଷା କର୍ମଚାରୀଭାବେ କଳାହାଣ୍ଡି ଜିଲ୍ଲାର ଲୁକଣ ସାହୁ ନିଖୋଜ ଥିବା ଜଣାପଡ଼ିଛି । ଘଟଣା ସମ୍ପର୍କରେ ଟିଟିଲାଗଡ଼ ଏସଡିପିଓ ସୁରେନ୍ଦ୍ର ନାଥ ଶତପଥୀ ତଦନ୍ତ କରୁଥିବା ନେଇ ସୂଚନା ଦେଇଛନ୍ତି ।