ବଲାଙ୍ଗିରରେ ପହଞ୍ଚିଲା ଦୁଲଦୁଲି କଳା ପରିଷଦ, ରେଳ ଷ୍ଟେସନରେ ଭବ୍ୟ ସ୍ୱାଗତ

ବଲାଙ୍ଗିର,ଏନ୍‌ଏନ୍‌ଏସ୍: ଛତିଶଗଡ଼ର ରାଜଧାନୀ ରାୟପୁର ଠାରେ ଅନୁଷ୍ଠିତ ହୋଇଥିବା ଜାତୀୟ ଆଦିବାସୀ ନୃତ୍ୟ ମହୋତ୍ସବରେ ଦ୍ୱିତୀୟ ସ୍ଥାନ ଅଧିକାର କରି ଆଜି ବଲାଙ୍ଗିରରେ ପହଞ୍ଚିଥିଲା ଦୁଲଦୁଲି କଳା ପରିଷଦ। ବଲାଙ୍ଗିର ରେଳ ଷ୍ଟେସନରେ ପହଞ୍ଚିବା ପରେ ଦଳର କଳାକାରମାନଙ୍କୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ, ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମୀ ରଂଜନ ମିଶ୍ର ଓ ବିଙ୍ଗ୍‌ ହ୍ୟୁମାନର ସୋମନାଥ ମିଶ୍ର ପ୍ରମୁଖ ରେଳ ଷ୍ଟେସନରେ ଉପସ୍ଥିତ ରହି କଳକାରମାନଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି ଅବସରରେ ପୌରାଧ୍ୟକ୍ଷା ଲିକା ସାହୁ କହିଥିଲେ ଯେ, ଦୁଲଦୁଲି କଳା ପରିଷଦର ସଫଳତା କେବଳ ବଲାଙ୍ଗିର ଜିଲ୍ଲା ପାଇଁ ଗର୍ବ ଓ ଗୌରବ ନୁହେଁ ବରଂ ସମଗ୍ର ଓଡିଶା ପାଇଁ ଗର୍ବର ବିଷୟ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହି ସଫଳତା ପାଇଁ କଳାକାରମାନଙ୍କୁ ଟୁଇଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି। ଆଗାମୀ ଦିନରେ ମଧ୍ୟ ଏହି ଅନୁଷ୍ଠାନ ଏଭଳି ଅନେକ ଗର୍ବ ଓ ଗୌରବ ଆଣିବ ବୋଲି ସେ ଆଶା ପ୍ରକାଶ କରିଥିଲେ। ସୂଚନାଯୋଗ୍ୟ ଯେ, ରାୟପୁର ଠାରେ ୧ରୁ ୩ ତାରିଖ ୩ ଦିନ ଧରି ଛତିଶଗଡ ରାଜ୍ୟ ସରକାରଙ୍କ ଦ୍ୱାରା ଜାତୀୟ ଆଦିବାସୀ ନୃତ୍ୟ ମହୋତ୍ସବ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗୀତାରେ ବିଦେଶର ୯ ଟି ଦଳ ଯୋଗ ଦେଇଥିବା ବେଳେ ଦେଶର ୬୦ରୁ ଊର୍ଦ୍ଧ୍ବ ଦଳ ଯୋଗଦେଇଥିଲେ।

ଦୁଇଟି ବିଭାଗରେ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ଶସ୍ୟ ଅମଳ ପରବର୍ତ୍ତି ସମୟରେ ହେଉଥିବା ନୃତ୍ୟ ଓ ପାରମ୍ପାରିକ ନୃତ୍ୟ ଶୌଳୀକୁ ନେଇ ଏହି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ପ୍ରଥମ ପ୍ରତିଯୋଗୀତା ଶୌଳୀରେ ମାତ୍ର ୧୦ଟି ଦଳ ପ୍ରତିଦ୍ୱନ୍ଦିତା କରିଥିବା ବେଳେ ଦ୍ୱିତୀୟ ତଥା ପାରମ୍ପାରିକ ନୃତ୍ୟ ଶୌଳୀରେ ୫୦ରୁ ଊର୍ଦ୍ଧ୍ବ ଦଳ ପ୍ରତିଦ୍ୱନ୍ଦିତା କରିଥିଲେ। ପାରମ୍ପାରିକ ନୃତ୍ୟ ବିଭାଗରେ ଦୁଲଦୁଲି କଳା ପରିଷଦ ଘୁଡକା ନୃତ୍ୟ ପରିବେଷଣ କରି ଦ୍ୱିତିୟ ସ୍ଥାନ ଅଧିକାରୀ ସଫଳତା ହାସଲ କରିଥିଲା। ପ୍ରଥମ ସ୍ଥାନ ହାସଲ କରିଥିଲା ସିକ୍କିମ୍‌ ଦଳକୁ ଅର୍ଥ ରାଶି ସହିତ ଟ୍ରଫି ପ୍ରଦାନ କରି କଳାକାରମାନଙ୍କୁ ପୁରସ୍କୃତ କରାଯାଇଥିଲା।

ଅନୁଷ୍ଠାନର ମୁଖ୍ୟ ବାସୁଦେବ ସା ଓ ସମସ୍ତ କଳାକାର ମଞ୍ଚରେ ଉପସ୍ଥିତ ରହି ଅର୍ଥରାଶି ଓ ଟ୍ରଫି ଗ୍ରହଣ କରିଥିଲେ। ଝାରଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଓ ଛତିଶଗଡର ମୁଖ୍ୟମନ୍ତ୍ରୀ ଭୂପେଷ ବାଘେଲ ପ୍ରମୁଖ କଳାକାରମାନଙ୍କୁ ଅର୍ଥରାଶି ଓ ଟ୍ରଫ ପ୍ରଦାନ କରିଥିଲେ। ଏହି ମହୋତ୍ସବରେ ଅନୁଷ୍ଠାନର ମୁଖ୍ୟ ଶ୍ରୀଯୁକ୍ତ ସାଙ୍କ ବ୍ୟତୀତ କଳକାର ନବୀନ କୁମାର କୁଅଁର, ଅଜୟ ନାଗ, ସୁଦାମ ବିଶି, ରେଶମାରାଣୀ ଦାସ, ରୀମା ବାଗ, ସ୍ୱରୁପା ସିଂ, ପଦ୍ମୀନୀ ସେଠ୍‌, ମିସ ଘାୟଲ, ଡଲି ବାଗ, ସୌମ୍ୟ ରଂଜନ ବଗର୍ତ୍ତି, କୁଶ କୁମ୍ଭାର, ସତ୍ୟବାନ ନାଗ, ବିଜୟ ସୁନା, ଭୀମ ନାଗ, ସୁଶାନ୍ତ ବେହେରା, ହିମାଂଶୁ ନାଏକ, ନିଗମା ନନ୍ଦ ନାଥ ଓ କୁନା ବାଗ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ମୁଖ୍ୟମନ୍ତ୍ରୀ ଟି୍‌ଟ୍ୱ କରି ଶୁଭେଛା ଜଣାଇଥିବାରୁ ଅନୁଷ୍ଠାନର ମୁଖ୍ୟ ଶ୍ରୀଯୁକ୍ତ ସା ତାଙ୍କୁ କୃତଜ୍ଞତା ଜଣାଇଛନ୍ତି।