ନିଶାସକ୍ତ ଅବସ୍ଥାରେ ବୃଦ୍ଧଙ୍କ ନାକକୁ କାମୁଡ଼ି ଛିଣ୍ଡାଇ ଦେଲା ମଦ୍ୟପ

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଥାନା ଅନ୍ତର୍ଗତ କଣ୍ଢଳ ବାଲିପଶି ଗ୍ରାମରେ ଆଜି ନିଶାସକ୍ତ ଅବସ୍ଥାରେ ଜଣେ ବ୍ୟକ୍ତି ଜଣେ ବୃଦ୍ଧଙ୍କ ନାକକୁ କାମୁଡି ଛିଣ୍ଡାଇ ଦେଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ଆଜି ଦିନ ପ୍ରାୟ ୧ଟା ସମୟରେ ବାଲିପଶି ଗ୍ରାମର ବେଣୁ ବୁଡା(୬୦) ନିଜ ଘର ସମ୍ମୁଖରେ ବସିଥିବାବେଳେ ଉକ୍ତ ଗ୍ରାମର ଗଙ୍ଗା ସିଂ (୫୨) ନିଶାସକ୍ତ ଅବସ୍ଥାରେ ସେଠାରେ ପହଞ୍ଚି ବେଣୁଙ୍କ ସହ ପାଟି ତୁଣ୍ଡ କରିଥିଲେ।

ବିନା କାରଣରେ ପାଟି କରୁଥିବାରୁ ବେଣୁ ଏହାର ପ୍ରତିବାଦ କରିଥିଲେ। ବେଣୁ ପ୍ରତିବାଦ କରିବାରୁ ଗଙ୍ଗା ଉତ୍‌କ୍ଷିପ୍ତ ହୋଇ ବେଣୁଙ୍କ ନାକକୁ କାମୁଡି ଛିଣ୍ଡାଇ ଦେଇଥିଲେ। ନାକରୁ ପ୍ରଚୁର ରକ୍ତସ୍ରାବ ହେବାରୁ ବେଣୁଙ୍କୁ ଦେବଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଏନେଇ ବେଣୁ ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ଅଧିକ ଚିକିତ୍ସା ପାଇଁ ବେଣୁଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।