ଆବର୍ଜନା ପାଣି କୁଣ୍ଡରେ ପଡି ଶିଶୁ ପୁତ୍ର ମୃତ

ଦେବଗଡ଼,ଏନ୍ଏନ୍ଏସ୍: ଆଜି ବାରକୋଟ ଥାନା ଅନ୍ତର୍ଗତ ଗୋପପୁର ଗ୍ରାମରେ ଏକ ୧୮ ମାସର ଶିଶୁ ପୁତ୍ର ଖେଳୁଥିବାବେଳେ ଘର ଅଗଣାରେ ଥିବା ଆବର୍ଜନା ପାଣି କୁଣ୍ଡରେ ପଡ଼ିଯାଇଥିଲା। ଫଳରେ ଶିଶୁଟିର ମୃତ୍ୟୁ ଘଟିଛି।
ସୂଚନାକ୍ରମେ, ଗୋପପୁର ଗ୍ରାମର ସିନୁ ମହାନ୍ତଙ୍କ ୧୮ ମାସର ଶିଶୁ ପୁତ୍ର କ୍ରୀଷ୍ଣା ଆଜି ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ଟା ବେଳେ ନିଜ ଘର ଅଗଣାରେ ଖେଳୁଥିଲା। ପରିବାର ଲୋକଙ୍କ ଅଜାଣତରେ ଘର ଅଗଣାରେ ଥିବା ଆବର୍ଜନା ପାଣି କୁଣ୍ଡରେ ସେ ପଡ଼ିଯାଇଥିଲା। କିଛି ସମୟ ପରେ କ୍ରୀଷ୍ଣାକୁ ଖୋଜିବା ପରେ ଘର ଅଗଣାରେ ଥିବା ଆବର୍ଜନା ପାଣି କୁଣ୍ଡରେ ପଡିଥିବା ଦେଖିବାକୁ ପାଇଥିଲେ।

ଗୁରୁତର ଅବସ୍ଥାରେ ଶିଶୁଟିକୁ ଉଦ୍ଧାର କରି ପରିବାର ଲୋକେ ଚିକିତ୍ସା ପାଇଁ ପ୍ରଥମେ ବାରକୋଟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ସେଠାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ପରେ ଦେବଗଡ଼ ଥାନା ପୁଲିସ ଏହି ଘଟଣାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।