ବାଲିଗୁଡା,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରୁ ଗଞ୍ଜାମ ଜିଲ୍ଲାର କୋଦଳା ଅଞ୍ଚଳକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବିଶ୍ୱସ୍ତ ସୂତ୍ରରୁ ଖବରପାଇ ଦାରିଙ୍ଗବାଡି ଥାନା ଅଧିକାରୀ କୌଶିକ ମାଝୀଙ୍କ ନେତୃତ୍ୱରେ ଏକ ଟିମ ଗଠନ କରି ଏଏସ୍ଆଇ ଅର୍ଜୁନ ଶବର, କନେଷ୍ଟବଳ ରଘୁନାଥ ନାୟକ, ମନୋରଞ୍ଜନ ସାବତ, ଦିଲ୍ଲୀପ ନାୟକଙ୍କ ସହିତ ଅନ୍ୟ କର୍ମଚାରୀ ଆମ୍ବ ଖାଲିଆ ବୁଲାଣିରେ ଛପି ରହିଥିଲେ। ଏତିକି ବେଳେ ବାଲିଗୁଡା ପଟୁ ଏକ ବୋଲେରୋ ପିକ୍ଅପ୍ ଦ୍ରୁତ ଗତିରେ ଆସିଥିଲା।
ଘାଟିରେ ପୁଲିସକୁ ଦେଖି ବୋଲେରୋ ପିକ୍ଅପ୍ ଚଳାଉଥିବା ଡ୍ରାଇଭର ଜଣକ ଗାଡ଼ିରୁ ଓହ୍ଲାଇ ଫେରାର ହେବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ କର୍ମଚାରୀମାନ ଗାଡିକୁ ଅଟକାଇ ଗାଡ଼ିରୁ ୩ ବସ୍ତା ଗଞ୍ଜେଇ ସହିତ ଡ୍ରାଇଭରକୁ ଗିରଫ କରିଥିଲା। ଜବତ ଜୋଇଥିବା ଗଞ୍ଜେଇର ଓଜନ ୧୪୨ କିଲୋ ୩ ଶହ ଗ୍ରାମ ହୋଇଥିଲା ବେଳେ ଜବତ ହୋଇଥିବା ଗାଡିର ନଂ. ଓଆର୍-୨୫ବି-୯୩୬୩ ଥିବାର ଜଣାପଡିଛି। ଡ୍ରାଇଭର ବାଟାଗୁଡ଼ାର ଟୁନୁ ନାୟକକୁ ଗିରଫ କରି କେସ୍ ନଂ-୬୬/୨୨ରେ ଏକ ମାମଲା ରୁଜୁ କରାଯାଇଥିବା ବିଷୟ ଦାରିଙ୍ଗବାଡ଼ି ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି।