ଫିରିଙ୍ଗିଆ ଉଚ୍ଚ ମାଧ୍ୟମିକ ବାଳକ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା

ଫିରିଙ୍ଗିଆ,ଏନ୍‌ଏନ୍‌ଏସ୍‌: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକରେ ଥିବା ଉଚ୍ଚ ମାଧ୍ୟମିକ ବାଳକ ବିଦ୍ୟାଳୟରେ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱରା ପରିଚାଳିତ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ନେଇ ଏକ ଜିଲ୍ଲାସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ୱର ପାଟିଲଙ୍କ ନିର୍ଦ୍ଦେଶକ୍ରମେ ବିଦ୍ୟାଳୟର ଅଧ୍ୟକ୍ଷ କୈଳାଶ ଚନ୍ଦ୍ର ସିଂଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନ ଓ ଜିଲ୍ଲା ମଙ୍ଗଳ ଅଧିକାରୀ ସୀମାଞ୍ଚଳ ବେହେରାଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଫିରିଙ୍ଗିଆ ନେଡ଼ିପଦର ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ରଞ୍ଜନ କୁମାର ପାଢ଼ୀଙ୍କ ସହ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ । ଏହି ଚିତ୍ରାଙ୍କନ ପ୍ରତିଯୋଗିତାରେ ଜିଲ୍ଲାର ୪୦ଟି ଉଚ୍ଚ ବିଦ୍ୟାଳୟ ସହ ଅନ୍ୟାନ୍ୟ ବିଦ୍ୟାଳୟର ପ୍ରାୟ ୫୬ଜଣ ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ ଭାଗ ନେଇଛନ୍ତି । ପ୍ରତିଯୋଗିତାକୁ କନିଷ୍ଠ ଓ ବରିଷ୍ଠ ୨ଟି ବିଭାଗରେ ବିଭକ୍ତ କରାଯାଇଥିବାବେଳେ କନିଷ୍ଠ ବିଭାଗରେ ୩୧ଜଣ ଓ ବରିଷ୍ଠ ବିଭାଗରେ ୨୫ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ଅନ୍ୟପଟେ କନିଷ୍ଠ ବିଭାଗ ପାଇଁ ଆଦିବାସୀଙ୍କ ଶିକ୍ଷାର ଅଗ୍ରଗତି ବିଷୟ ରଖାଯାଇଥିବାବେଳେ ବରିଷ୍ଠ ବିଭାଗ ପାଇଁ ଆଦିବାସୀଙ୍କ କଳା ଓ ସଂସ୍କୃତି ବିଷୟରେ ଚିତ୍ର ଅଙ୍କନ କରିବା ପାଇଁ କୁହାଯାଇଥିଲା ।