ବିଏସଏଫ ତରଫରୁ ଗୋଛାପଡ଼ା ଉଚ୍ଚ ବିଦ୍ୟାଳୟରେ ସିଭିକ ଆକ୍ସନ କାର୍ଯ୍ୟକ୍ରମ

ଫିରିଙ୍ଗିଆ,ଏନ୍‌ଏନ୍‌ଏସ୍‌: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ଗୋଛାଥାନା ଅଞ୍ଚଳରେ ମୁତୟନ ଥିବା ୯୯ ବାଟାଲିୟନ ସୀମା ସୁରକ୍ଷା ବାହିନୀ(ବିଏସ୍‌ଏଫ୍ ) ତରଫରୁ ଗୋଛାପଡ଼ା ଥାନା ଅନ୍ତର୍ଗତ ଗୋଛାପଡ଼ା ପଂଚାୟତର ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳପଡ଼ିଆରେ ଏକ ସିଭିକ ଆକ୍ସନ ପ୍ରୋଗ୍ରାମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସଲାଗୁଡ଼ା ଗ୍ରାମ ପଞ୍ଚାୟତର ଟଣାସୁ ଓ ଲୋହରା ସାହି ଗ୍ରାମର ୨୨୨ ଲୋକଙ୍କୁ ନେଇ ବିଭିନ୍ନ ପ୍ରକାର ସାମଗ୍ରୀ ବଣ୍ଟନ କରାଯାଇଛି । ୯୯ ବାଟାଲିୟନର ଡେପୁଟି କମାଣ୍ଡେଣ୍ଟ ଭରତ ପାଲ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସଲାଗୁଡ଼ା ସରପଞ୍ଚ ରୋହିତ କହଁର, ବିଏସଏଫ ଇନ୍ସପେକ୍ଟର କେ ଭି ସିଂ, ଟଣାସୁ ୱାର୍ଡମେମ୍ବର ପୁଷ୍ପଲତା କହଁର, ଲୋହରା ସାହିର ରାଜେଶ୍ୱର କହଁର ଓ ସରକାରୀ ଉଚ୍ଚ ବିଦ୍ୟାଳୟ ଗୋଛାପଡ଼ାର ପ୍ରଧାନଶିକ୍ଷକ ରମେଶ ଚନ୍ଦ୍ର ସାହୁ ପ୍ରମୁଖଙ୍କ ଉପସ୍ଥିତ ଥିଲେ । ଏଥିରେ ଭଲିବଲ, ଭଲିବଲ ନେଟ୍‌, ଫୁଟବଲ, ରୋଷଇ ଉପକରଣ, ଯୁବକଙ୍କୁ ଖେଳ ସାମଗ୍ରୀ ଓ ପୋଷାକ ପ୍ରଦାନ କରାଯାଇଥିଲା । ମାଓ ପ୍ରବଣ ତଥା ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଅଞ୍ଚଳବାସୀଙ୍କ ସହିତ ଉତ୍ତମ ସମ୍ପର୍କ ସ୍ଥାପନ କରିବା, ସେମାନଙ୍କ ସୁଖ-ଦୁଃଖରେ ଅଂଶିଦାର ହେବା ସହିତ ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତି ଓ ଆଦିବାସୀ ପିଲାଙ୍କ ଶିକ୍ଷା ଓ ସ୍ୱାସ୍ଥ୍ୟର ବିକାଶ ନିମନ୍ତେ କେନ୍ଦ୍ର ସରକାରଙ୍କ ତରପରୁ ବିଏସଏଫ ଯବାନଙ୍କ ନେତୃତ୍ୱରେ ଏହି ଜନ ସମ୍ପର୍କ ଶିବିର ଆୟୋଜନ ହେଉଛି ଏବଂ ଆଗାମୀ ଦିନରେ ଏଭଳି ବିଭିନ୍ନ ଗ୍ରାମରେ ଜନ ସମ୍ପର୍କ ଶିବିର ଅନୁଷ୍ଠିତ ହେବ ବୋଲି ବିଏସଏଫ ୯୯ ବାଟାଲିୟନର ଡେପୁଟି କମାଣ୍ଡେଣ୍ଟ ଭରତ ପାଲ ସିଂ ସୂଚନା ଦେଇଛନ୍ତି । ଏହି ଅବସରରେ ବିଏସଏଫ ଯବାନଙ୍କ ତରଫରୁ ମେଡ଼ିକାଲ ଅଫିସର ଅଙ୍କୁଶ ରାୱାଲଙ୍କ ଉପସ୍ଥିତିରେ ଏକ ମେଡିକାଲ କ୍ୟାମ୍ପ ଅନୁଷ୍ଠିତ ହୋଇଥିଲା । ଏହି ସାମଗ୍ରୀ ପାଇବା ପରେ ଲୋକମାନେ ବହୁତ ଖୁସି ଥିବା ଦେଖାଯାଇଛି । ସେହିପରି ପାହିରାଜୁ ପଞ୍ଚାୟତରେ ମଧ୍ୟ ବିଏସଏଫ ତରଫରୁ ସିଭିକ ଆକ୍ସନ ପ୍ରୋଗ୍ରାମ ସରପଞ୍ଚ କେଶବ କହଁରଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି ।