କେସିଙ୍ଗା ମହାବିଦ୍ୟାଳୟର ୪୨ତମ ବାର୍ଷିକ ଉତ୍ସବ

କେସିଙ୍ଗା,ଏନ୍‌ଏନ୍‌ଏସ୍‌: କଳାହାଣ୍ଡି ଜିଲ୍ଲା କେସିଙ୍ଗା ମହାବିଦ୍ୟାଳୟର ୪୨ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କଳାହାଣ୍ଡି ଲୋକସଭା ସାଂସଦ ବସନ୍ତ କୁମାର ପଣ୍ଡା ଯୋଗ ଦେଇଥିବାବେଳେ ମୁଖ୍ୟବକ୍ତା ଭାବେ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଭାଇସ୍ ଚାନସେଲର ପ୍ରଫେସର ଡା. ସଞ୍ଜୟ କୁମାର ଶତପଥୀ ଉପସ୍ଥିତ ଥିଲେ। ସେହିପରି ସମ୍ମାନୀତ ଅତିଥିଭାବେ କେସିଙ୍ଗା ଏନଏସି ଅଧ୍ୟକ୍ଷ ନୃପରାଜ ଯାଦବ ଯୋଗ ଦେଇଥିଲେ । ମୁଖ୍ୟଅତିଥି ଶ୍ରୀ ପଣ୍ଡା ଛାତ୍ରଛାତ୍ରୀଙ୍କ ଚରିତ୍ର ଗଠନରେ ଗୁରୁତ୍ୱରୋପ କରି ଭଲ ମଣିଷ ହୋଇ ଦେଶ ପାଇଁ ଗୌରବ ଆଣିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଶାନ୍ତ କୁମାର ପାଢ଼ୀ ଅଧ୍ୟକ୍ଷତା କରି ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ । ମହାବିଦ୍ୟାଳୟ ଉନ୍ନତି ଓ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟାର ସମାଧାନ ଆବଶ୍ୟକ ରହିଛି ବୋଲି ଦାବୀ ଉପସ୍ଥାପନ କରିଥିଲେ । ଅଧ୍ୟାପକ ସୁରଥ ପଧାନ ବାର୍ଷିକ ବିବରଣୀ ପଠନ କରିଥିଲେ । ଏହି ଅବସରରେ ମହାବିଦ୍ୟାଳୟର ପ୍ରଥମ ପରିଚାଳନା ସମିତିର ପ୍ରତିଷ୍ଠା ସମ୍ପାଦକ ପିତାମ୍ବର ରାୟଙ୍କୁ ମାନପତ୍ର ଓ ଉପଢ଼ୌକନ ସହିତ ସମ୍ବର୍ଦ୍ଧିତ କରାଯାଇଥିଲା । ଓଡ଼ିଆ ଅଧ୍ୟାପକ ଡା. ରାକେଶ କୁମାର ବିଶି ମଞ୍ଚ ପରିଚାଳନା କରିଥିବାବେଳେ ଅଧ୍ୟାପକ ଉମେଶ ଚନ୍ଦ୍ର ବାରିକ ଓ ରାଇମୋହନ ମାଝୀଙ୍କ ପରିଚାଳନାରେ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଶେଷରେ ପ୍ରାଧ୍ୟାପକ ପର୍ଶୁରାମ ସାହୁ ଧନ୍ୟବାଦ ଦେଇଥିଲେ ।