କର୍ମଚାରୀଙ୍କୁ ଦୀପାବଳି ଭେଟି, ପୁଣି ମହଙ୍ଗା ଭତ୍ତା ବୃଦ୍ଧି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,ଏଜେନ୍ସି: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଖୁସି ଖବର। ଦୀପାବଳି ଉପଲକ୍ଷେ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। କ୍ୟାବିନେଟ ବୈଠକରେ କେନ୍ଦ୍ର ସରକାର କର୍ମଚାରୀ ଏବଂ ପେନସନ ଉପଭୋକ୍ତାଙ୍କ ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି କରିବାକୁ ମଞ୍ଜୁରି ମିଳିଛି।

ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କୁ ୨୮ ପ୍ରତିଶତ ମହଙ୍ଗା ଭତ୍ତା ମିଳୁଥିଲା। ଏବେ କ୍ୟାବିନେଟ୍ ବୈଠକରେ ଏନେଇ ମଞ୍ଜୁରି ମିଳିବା ପରେ ଏଣିକି ୩୧ ପ୍ରତିଶତ ଡିଏ ପାଇବେ କେନ୍ଦ୍ରୀୟ କର୍ମଚାରୀ। ପ୍ରାୟ ୧ କୋଟିରୁ ଊର୍ଦ୍ଧ୍ୱ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନ୍ ଉପଭୋକ୍ତା ଏହାର ଫାଇଦା ପାଇବେ। ସୂଚନା ଅନୁସାରେ, ଗତ ଜୁଲାଇ ମାସରେ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୧୧ ପ୍ରତିଶତ ବୃଦ୍ଧି କରି ତାହାକୁ ୨୮ ପ୍ରତିଶତ କରିଥିଲେ। ଏହା ପୂର୍ବରୁ ଡିଏ ୧୭ ପ୍ରତିଶତ ମିଳୁଥିଲା। ମହଙ୍ଗା ଭତ୍ତା ବଢିବା ଫଳରେ ଅନ୍ୟ ସୁବିଧାଗୁଡିକରେ ମଧ୍ୟ ଫାଇଦା କେନ୍ଦ୍ର ସରକାରୀ କର୍ମଚାରୀ ପାଇବେ। ଟ୍ରାଭେଲ୍ ଆଲୋଏନ୍ସ ଏବଂ ସିଟି ଆଲୋଏନ୍ସ ବୃଦ୍ଧି ପାଇବା ସହିତ ଅବସର ପରେ ପ୍ରୋଭିଡେଣ୍ଟ ଫଣ୍ଡ ଏବଂ ଗ୍ରାଚ୍ୟୁଟି ମଧ୍ୟ ବୃଦ୍ଧି ପାଇବ।