ଅଭିଯୁକ୍ତ ଗୋବିନ୍ଦ ସାହୁର ସହଯୋଗୀ ରାଧେର ଘର ତଳୁ ମିଳିଲା ମୋବାଇଲ୍ ଫୋନ୍ ଓ କିଛି ପୋଷାକ

ଭୁବନେଶ୍ୱର,ଏନ୍ଏନ୍ଏସ୍: ମମିତା ମେହେର ହତ୍ୟା ମାମଲାରେ ପୁଲିସର ଛାନଭିନ ଜାରି ରହିଛି। ଯେତେ ଦିନ ଗଡ଼ୁଛି ସେତିକି ତଥ୍ୟ ସାମ୍ନାକୁ ଆସିଛି। ଆଜି ମଧ୍ୟ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ମୁଖ୍ୟ ସହଯୋଗୀ ରାଧେ ଘରୁ ମିଳିଛି କିଛି ଗୁରୁତ୍ୱ ପୁର୍ଣ୍ଣ ତଥ୍ୟ। ରାଧେର ସ୍ତ୍ରୀ ଆଶା ଚଣ୍ଡୀ ଠାରୁ ପୁଲିସକୁ ମିଳିଛି କିଛି ତଥ୍ୟ। ରାଧେର ଘର ଖଟ ତଳେ ଥିବା ବ୍ୟାଗକୁ ଦେଇଛନ୍ତି ରାଧେର ସ୍ତ୍ରୀ। ବ୍ୟାଗରୁ ତିନି ହଳ ମହିଳା ଡ୍ରେସ୍ ଓ ଗୋଟିଏ ମୋବାଇଲ୍ ଫୋନ୍ ଜବତ ହୋଇଛି।

ଏହା ସହିତ କିଛି ଔଷଧ ଏବଂ ଫୋନ୍ ଚାର୍ଜର ମଧ୍ୟ ଜବତ ହୋଇଛି। ସେହି ମୋବାଇଲ୍ ଟି ମମିତାଙ୍କ ହୋଇଥିବା ସନ୍ଦେହ କରାଯାଉଛି। ରାଧେଙ୍କ ସ୍ତ୍ରୀ କହିଛନ୍ତି ମୋ ସ୍ୱାମୀ ନିର୍ଦ୍ଦୋଷ, ଆମ ଘରେ ଯାହା ସୁରାଗ ଥିଲା ଦେଇଦେଲି। ମୋ ସ୍ୱାମୀକୁ ଦୟାକରି ଛାଡ଼ି ଦିଅନ୍ତୁ। ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଘନ ଘନ ଜେରା କରୁଛି ପୁଲିସ। ଘଟଣାରେ ଆଉ କାହାର ରହିଛି କି ସଂପୃକ୍ତି ? ହତ୍ୟାକାଣ୍ଡ ପଛରେ ଆଉ କେଉଁମାନେ ସାମିଲ ଅଛନ୍ତି ? ସେନେଇ ମାରାଥନ ଜେରା କରୁଛି ପୋଲିସ ।