ରୋଗୀ ମୃତ୍ୟୁକୁ ନେଇ କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା

ଭୁବନେଶ୍ୱର,ଏନ୍ଏନ୍ଏସ୍: କ୍ୟାପିଟାଲ ହସ୍ପିଟାଲରେ ରୋଗୀ ମୃତ୍ୟୁକୁ ନେଇ ଚାପା ଉତ୍ତେଜନା ପ୍ରକାଶ ପାଇଥିଲେ। ସେଠାରେ ଏକ ଘଣ୍ଟାରୁ ଅଧିକ ସମୟଧରି ରୋଗୀଙ୍କ ସମ୍ପର୍କୀୟମାନେ ହୋହାଲ୍ଲା କରିଥିଲେ। ଡାକ୍ତରଙ୍କ ଅବହେଳା ପାଇଁ ରୋଗୀଙ୍କ ମୃତ୍ୟୁ ହୋଇଛି ବୋଲି ସର୍ମ୍ପକୀମାନେ ଅଭିଯୋଗ କରିଛନ୍ତି। ଏନେଇଠାରେ ଦାୟିତ୍ୱରେ ଥିବା ସିକ୍ୟୁରିଟି ଗାର୍ଡ ଓ ରୋଗୀଙ୍କ ସର୍ମ୍ପକୀୟଙ୍କ ମଧ୍ୟରେ ଠେଲାପେଲା ମଧ୍ୟ ହୋଇଥିଲା। ସେଠାରେ ପୁଲିସ୍ ପହଞ୍ଚି ରୋଗୀଙ୍କ ସର୍ମ୍ପକୀଙ୍କୁ ବୁଝାସୁଝା ପରେ ପରିସ୍ଥିତିରେ ଶାନ୍ତ ପଡ଼ିଥିଲା।

ବାଲିଅନ୍ତା ଗଣ୍ଡିଲୋ ଗାଁ’ର ମାଗୁଣୀ ଭୋଇ ନାମକ ୬୫ବର୍ଷିୟ ବୃଦ୍ଧା ସୋମବାର ସକାଳ ୭ଟା ସମୟରେ ବିଲକୁ ବୁଲିବାକୁ ଯାଇଥିଲା। ସେହି ସମୟରେ ବୃଦ୍ଧାଙ୍କୁ ସର୍ପ ଦଂଶନ କରିଥିଲା। ଫଳରେ ବୃଦ୍ଧା ଜଣକ ଜୀବନ ବିକଳରେ ଘରକୁ ଫେରିଆସିଥିଲେ।

ସେଠାରେ ପରିବାର ଲୋକେ ପ୍ରଥମେ ଦେଶୀ ଚିକିତ୍ସା କରିଥିଲେ। ତୁରନ୍ତ ମେଡିକାଲକୁ ନଆସି, ଦେଶୀ ଚିକିତ୍ସା ଉପରେ ନିର୍ଭର କରିଥିଲେ। ପରେ ବୃଦ୍ଧାଙ୍କ ଅବସ୍ଥାରେ ଖରାପ ହେବାରୁ ୪ଘଣ୍ଟା ବିଳମ୍ବରେ ହସ୍ପିଟାଲକୁ ଆଣିଥିଲେ। ସେତେବେଳେକୁ ବୃଦ୍ଧାଙ୍କ ଅବସ୍ଥା ଗୁରୁତର ହୋଇସାରିଥିଲା।

ଡାକ୍ତର ଚିକିତ୍ସା ଆରମ୍ଭ କରି ରକ୍ତ ସଂଗ୍ରହ ପରେ ହଠାତ ବୃଦ୍ଧା ଜଣକ ମୃତ୍ୟୁବରଣ କରିଥିଲେ। ଡାକ୍ତର ତୁରନ୍ତ ଚିକିତ୍ସା ନକରିବାରୁ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି। ଯଦି ଠିକ୍ ସମୟରେ ଉପଯୁକ୍ତ ଚିକିତ୍ସା ହୋଇଥାନ୍ତା, ତାହାଲେ ବୃଦ୍ଧା ଜଣକ ନିଶ୍ଚିତ ମୃତ୍ୟୁମୁଖରୁ ବଞ୍ଚିଯାଇଥାନ୍ତେ ବୋଲି ପରିବାର ଲୋକେ କହିଛନ୍ତି। (ନଳିନୀ)