ନବରଙ୍ଗପୁର,ଏନ୍ଏନ୍ଏସ୍: ଜିଲ୍ଲା ପରିଷଦର ଚତୁର୍ଥ ସାଧାରଣ ବୈଠକ ମିଶନ ଶକ୍ତି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପ୍ରାରମ୍ଭରୁ ପାନୀୟ ଜଳ, କୃଷି, ଶିକ୍ଷା, ଗ୍ରାମ୍ୟ ଉନ୍ନୟନ, ଗ୍ରାମ୍ୟ ନିର୍ମାଣ, ରାସ୍ତା ଓ ଗୃହ ନିର୍ମାଣ, ଜଙ୍ଗଲ ଓ ଜଳସେଚନ ଆଦି ବିଭାଗ ଉପରେ ଆଲୋଚନା ହୋଇଥିଲା । ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କ ପ୍ରତିନିଧି ରୂପେ ପ୍ରମୋଦ କୁମାର ପାଢ଼ୀ, ଜିଲ୍ଲାପାଳ ଡା. କମଳ ଲୋଚନ ମିଶ୍ର, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅନ୍ୟା ଦାସଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ଜିଲ୍ଲା ପରିଷଦ ସଭ୍ୟସଭ୍ୟା ଓ ସମସ୍ତ ପଞ୍ଚାୟତ ସମିତି ଅଧ୍ୟକ୍ଷା ଅଧ୍ୟକ୍ଷ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଏଥିରେ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ତୁରନ୍ତ ଶେଷ କରିବା ଓ ଭଲ କାର୍ଯ୍ୟ କରିବା ଦିଗରେ ଗୁରୁତ୍ୱାରୋପ କରାଯାଇଥିଲା । ଗୃହରେ ଅଧା ବିଷୟବସ୍ତୁ ଆଲୋଚନା ହେଉଥିବାରୁ ଜିଲ୍ଲା ପରିଷଦ ସଭ୍ୟସଭ୍ୟା ଅସନ୍ତୋଷ ବ୍ୟକ୍ତ କରି ଗୃହରେ କିଛି ସମୟ ବସି ରହିଥିଲେ । ଶେଷରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଲିପିକା ବାରୋଇ ଧନ୍ୟବାଦ ଅର୍ପଣ କରିଥିଲେ ।