ବିଭିନ୍ନ ଦାବୀ ନେଇ ଆନ୍ଦୋଳନ ପାଇଁ କେନ୍ଦୁପତ୍ର କର୍ମଚାରୀଙ୍କ ସଜବାଜ

ଦେବଗଡ଼,ଏନ୍‌ଏନ୍‌ଏସ୍‌: କେନ୍ଦୁପତ୍ର ତୋଳାଳୀ, ଋତୁକାଳୀନ କର୍ମଚାରୀ ଓ ବନ୍ଧେଇ କର୍ମଚାରୀଙ୍କୁ ପ୍ରୋତ୍ସାହନ ଓ ସାମାଜିକ ନିରାପତ୍ତାମୂଳକ ସହାୟତା ମିଳୁଥିବାବେଳେ ବୋନସ ଅର୍ଥ ପ୍ରଦାନ କରାଯାଉ ନାହିଁ । ଏହାସହ ଦୀର୍ଘ ୫ ବର୍ଷ ହେବ ଋତୁକାଳୀନ କର୍ମଚାରୀଙ୍କ ମଜୁରୀ ବୃଦ୍ଧି କରାନଯିବା, ତୁରନ୍ତ କେଏଲଡିବି ବୈଠକ ଡକାଯିବା, ଛାତ୍ର ବୃତ୍ତି ଓ ବିଜୁ କଲ୍ୟାଣ ଯୋଜନାର ସଠିକ କାର୍ଯ୍ୟକାରୀ ନହେବା ଯୋଗୁ ଲକ୍ଷାଧିକ କେନ୍ଦୁପତ୍ର କର୍ମଚାରୀ ଘୋର ଦୁର୍ଦଶା ମଧ୍ୟରେ ଗତି କରୁଥିବା ଅଭିଯୋଗ କରିଛନ୍ତି । ଏହାର ପ୍ରତିବାଦରେ ଆସନ୍ତା ୭ ତାରିଖ ଓଡ଼ିଶା କେନ୍ଦୁ କର୍ମଚାରୀ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯିବା ନେଇ ଆଜି ସଂଘର ବୈଠକରେ ନିଷ୍ପତ୍ତି ନିଆଯାଇଛି । କେନ୍ଦୁପତ୍ର କର୍ମଚାରୀ ସଂଘ ଡିଭିଜନ ସମ୍ପାଦକ ଭୂପେନ୍ଦ୍ର ପ୍ରସାଦ ନାୟକଙ୍କ ଅଧ୍ୟକ୍ଷତାରେ ପ୍ରଧାନପାଟସ୍ଥିତ ବସନ୍ତ ନିବାସ ଡାକ ବଙ୍ଗଳାରେ ଅନୁଷ୍ଠିତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସଂଘର ରାଜ୍ୟ ସମ୍ପାଦକ ମହମ୍ମଦ ମୁର୍ତ୍ତୁଜାଙ୍କ ସମେତ ଦେବଗଡ଼ ଶାଖାର ବହୁ ପଦାଧିକାରୀ ଓ ସଦସ୍ୟ ଉପସ୍ଥିତ ରହିଥିଲେ । ଆଗାମୀ ୭ ତାରିଖ ଗୋପାଳଜୀ ମନ୍ଦିର ପରିସରରୁ ଏକ ଶୋଭାଯାତ୍ରାରେ ବାହାରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କେନ୍ଦୁପତ୍ର ଡିଏଫଓ ଏବଂ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରାଯିବା ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି ।