ଜିଲ୍ଲାସ୍ତରୀୟ କ୍ରୀଡ଼ା ମହୋତ୍ସବ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ଜିଲ୍ଲାସ୍ତରୀୟ କ୍ରୀଡ଼ା ମହୋତ୍ସବ ୨୦୨୪ ନୂଆ-ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା ଆନୁଷ୍ଠାନିକ ଭାବେ ନବରଙ୍ଗପୁର ମହାବିଦ୍ୟାଳୟରେ ଆୟୋଜିତ ହୋଇଛି । ସଭାପତି ତଥା ଜିଲ୍ଲାପାଳ ଡା. କମଳ ଲୋଚନ ମିଶ୍ର କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିବା ସହିତ ଏହା ଜିଲ୍ଲାର ଯୁବପୀଢ଼ୀଙ୍କ ମଧ୍ୟରେ ଥିବା ଆତ୍ମବିଶ୍ୱାସ ଓ ପ୍ରତିଭାର ବିକାଶ ହେବାର ସହାୟକ ହେବ ବୋଲି କହିଥିଲେ । ଉକ୍ତ କାର୍ଯ୍ୟକ୍ରମର ମୁଖ୍ୟଅତିଥି ଭାବେ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ତଥା ବିଧାୟକ ଡାବୁଗାଁ ମନୋହର ରନ୍ଧାରୀ ଯୋଗଦେଇ ଓଡ଼ିଶାର ଯୁବପୀଢ଼ୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ମହାନ କାର୍ଯ୍ୟକ୍ରମ ଅତୁଳନୀୟ ବୋଲି ବର୍ଣ୍ଣନା କରିଥିଲେ । ଏହାଦ୍ୱାରା ଯୁବକ ଯୁବତୀଙ୍କୁ ରାଜ୍ୟ ଓ ଜାତୀୟସ୍ତରରେ ଭାଗ ନେବାର ସୁଯୋଗ ମିଳିପାରିବ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ନବରଙ୍ଗପୁର ତାରାଗାଁ ଖେଳ ପଡ଼ିଆରେ ହକି, ନବରଙ୍ଗପୁର ମହାବିଦ୍ୟାଳୟର ଖେଳ ପଡ଼ିଆରେ ଫୁଟବଲ ଏବଂ କ୍ରିକେଟ, ରାଜା ଚୈତନ୍ୟ ଦେବ ନୋଡାଲ ଖେଳ ପଡ଼ିଆରେ ଖୋ ଖୋ ପ୍ରଭୃତି କ୍ରୀଡ଼ା ପ୍ରତିଯୋଗିତାର ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଭାସ୍କର ବିଶ୍ୱାଳ, ଭାରପ୍ରାପ୍ତ ଜିଲ୍ଲା କ୍ରୀଡ଼ା ଅଧିକାରୀ ଜୀ ଶ୍ରୀନୁ, ଓଡ଼ିଶା ରାଜସ୍ୱ ଅମଲା ସଂଘର ସଭାପତି ତ୍ରିପତି ବାଲାଜୀ ସାହୁ, ଜିଲ୍ଲା ଜରୁରୀକାଳୀନ ବିଭାଗର ଜିଲ୍ଲା ପ୍ରକଳ୍ପ ଅଧିକାରୀ ହିମାଂଶୁ ଶେଖର ପଟ୍ଟନାୟକ, ଜିଲ୍ଲା କ୍ରୀଡ଼ା ସଂଘର ସମ୍ପାଦକ ପ୍ରହ୍ଲାଦ ତ୍ରିପାଠୀ, ଉପସଭାପତି ଏମ୍ ବାଲକୃଷ୍ଣ ରାଓ, ସହସମ୍ପାଦକ ମନୋଜ କୁମାର ପଟ୍ଟନାୟକ ଓ ଜିଲ୍ଲା କ୍ରୀଡ଼ା ପ୍ରଶିକ୍ଷକ ପ୍ରଭାତ କୁମାର ପଟ୍ଟନାୟକ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ । ଏହାସହ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା କ୍ରୀଡ଼ା ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କ୍ରୀଡାବିତ୍‌ମାନେ ଯୋଗ ଦେଇଥିଲେ । ଶେଷରେ କ୍ରୀଡ଼ା ଶିକ୍ଷକ ମନୋରଞ୍ଜନ ପ୍ରହରାଜ ଧନ୍ୟବାଦ ଦେଇଥିଲେ ।