ଜିଲ୍ଲାସ୍ତରୀୟ ଦକ୍ଷତା ବିକାଶ ମିଶନ ବୈଠକ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ନବରଙ୍ଗପୁର ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ କାର୍ଯ୍ୟାଳୟ ତରଫରୁ ଜିଲ୍ଲା ପଞ୍ଚାୟତ ସାଧନା କେନ୍ଦ୍ର ସଭାଗୃହରେ ଜିଲ୍ଲାପାଳ ଡା. କମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଦକ୍ଷତା ବିକାଶ ମିଶନର ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ନୂତନ ଉନ୍ମତ ଅଭିଳାଷା(ନୂଆ) ସ୍କିମରେ ଜିଲ୍ଲାରେ କେଉଁ ପ୍ରକାରର ତାଲିମ ଯୁବକ ଯୁବତୀଙ୍କୁ ଦିଆଯିବ ସେସମ୍ପର୍କରେ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯାଇଥିଲା । ଜିଲ୍ଲାର ଶିକ୍ଷିତ ଯୁବକ ଯୁବତୀମାନେ କିପରି ଅଧିକରୁ ଅଧିକ ସଂଖ୍ୟାରେ ବିଭିନ୍ନ ତାଲିମ ପ୍ରାପ୍ତ କରି ସହଜରେ ରୋଜଗାରକ୍ଷମ ହୋଇପାରିବେ ସେସମ୍ପର୍କରେ ଧ୍ୟାନ ଦେବା ପାଇଁ ସମ୍ପୃକ୍ତ ତାଲିମ ପ୍ରଦାନ କରୁଥିବା ସଂସ୍ଥାର କର୍ମକର୍ତ୍ତାଙ୍କୁ ଜିଲ୍ଲାପାଳ ଡା. ମିଶ୍ର ପରାମର୍ଶ ଦେଇଥିଲେ । ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ ଆନନ୍ଦ ପଲେଇ ବିଭିନ୍ନ ତାଲିମ ତଥା ନିଯୁକ୍ତି ପ୍ରଦାନକାରୀ ବେସରକାରୀ ଅନୁଷ୍ଠାନ ଶିକ୍ଷିତ ଯୁବକ ଯୁବତୀଙ୍କୁ କେଉଁ ପ୍ରକାରର ତାଲିମ ପ୍ରଦାନ କରିପାରିବେ ସେସମ୍ପର୍କରେ ବିସ୍ତ୍ରୃତ ଭାବେ ଆଲୋଚନା କରିଥିଲେ । ଜିଲ୍ଲାରେ ଥିବା ବିଭିନ୍ନ ଦକ୍ଷତା ବିକାଶ କେନ୍ଦ୍ର ଏବଂ ବିଏଡ କଲେଜକୁ ତାଲିମ କେନ୍ଦ୍ର ଭାବେ ବ୍ୟବହାର କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି ତାଲିମ ପ୍ରାପ୍ତ ପାଇଁ ଆବଶ୍ୟକ ଯୁବକ ଯୁବତୀମାନେ କିପରି ଏହାର ସୁଯୋଗ ନେଇ ପାରିବେ ସେ ଦିଗରେ ଯତ୍ନବାନ୍ ହୋଇ କାର୍ଯ୍ୟ କରିବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଓ କମିଟିର ସଭ୍ୟଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଏହି ସ୍କିମ ମାଧ୍ୟମରେ ବିଭିନ୍ନ ପ୍ରକାରର ଅତ୍ୟାଧୁନିକ ତାଲିମ ଦେବାର ବ୍ୟବସ୍ଥା ରହିଛି । ଏହାବ୍ୟତୀତ ଏହି ସ୍କିମ ଅନୁଯାୟୀ ଯୁକ୍ତ ୨ ପଢ଼ିଥିବା ଛାତ୍ରଛାତ୍ରୀମାନେ ଦିଲ୍ଲୀର ରୋଜିଏଟ ହୋଟେଲରେ ବିଭିନ୍ନ ପ୍ରକାର ହସ୍ପିଟାଲିଟି ସେକ୍ଟରରେ ତାଲିମ ଏବଂ କୋଚୀନରେ ଏଭିଏସନ୍ ସେକ୍ଟରରେ ଫ୍ରିରେ ଟ୍ରେନିଂ ନେଇପାରିବେ । ସେହିପରି ୧୦ମ ଶ୍ରେଣୀ ପାସ କରିଥିବା ଛାତ୍ରଛାତ୍ରୀମାନେ ଡ୍ରୋନ ଟେକ୍ନୋଲୋଜିରେ ଗଜପତି ଜିଲ୍ଲାରେ ତାଲିମ ନେଇପାରିବେ । ଏହି ସବୁ ତାଲିମ ପାଇଁ ବୟସ ସୀମା ୧୮ରୁ ୩୫ ବର୍ଷ ହୋଇଥିବା ଆବଶ୍ୟକ । ଜିଲ୍ଲାର ଶିକ୍ଷିତ ଯୁବକ ଯୁବତୀମାନେ ଏହି ସବୁ ତାଲିମର ସୁଯୋଗକୁ ସଦୁପଯୋଗ କରିବା ପାଇଁ ଜିଲ୍ଲାପାଳ ଡା. ମିଶ୍ର ଆହ୍ୱାନ ଦେଇଥିଲେ । ଏଥିପାଇଁ ସବିଶେଷ ତଥ୍ୟ ଜାଣିବାକୁ ହେଲେ ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ କାର୍ଯ୍ୟାଳୟରେ ସମ୍ପର୍କ କରିବା ପାଇଁ ମଧ୍ୟ ସେ ସୂଚନା ଦେଇଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଓ ବୈଷୟିକ ତାଲିମ୍ କେନ୍ଦ୍ରର ଅଧ୍ୟକ୍ଷ ପ୍ରମୁଖ ଯୋଗ ଦେଇଥିଲେ ।