ଫୁଲବାଣୀ ଜଗନ୍ନାଥ ମନ୍ଦିର ସମ୍ମୁଖରେ କଂଗ୍ରେସର ସଂକୀର୍ତନ ସତ୍ୟାଗ୍ରହ

କନ୍ଧମାଳ,ଏନ୍‌ଏନ୍‌ଏସ୍‌: ଶ୍ରୀ ମନ୍ଦିରର ବିଭିନ୍ନ ପ୍ରସଙ୍ଗକୁ ନେଇ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ସାରା ରାଜ୍ୟର ଜଗନ୍ନାଥ ମନ୍ଦିର ସମ୍ମୁଖରେ କଂଗ୍ରେସ ଦଳ ତରଫରୁ ପ୍ରଦୀପ ପ୍ରଜ୍ଜ୍ୱଳନ ଏବଂ ସଂକୀର୍ତନ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଫୁଲବାଣୀ ନଗର ଏବଂ ଫୁଲବାଣୀ ବ୍ଲକ କଂଗ୍ରେସ ତରଫରୁ ମଧ୍ୟ ଫୁଲବାଣୀ ଜଗନ୍ନାଥ ମନ୍ଦିର ସମ୍ମୁଖରେ ୩ ଘଣ୍ଟିଆ ସଂକୀର୍ତନ ସତ୍ୟାଗ୍ରହ କରାଯାଇଥିଲା । ସକାଳ ୯ଟାରୁ ୧୨ଟା ପର୍ଯ୍ୟନ୍ତ କଂଗ୍ରେସ କର୍ମୀ ସତ୍ୟାଗ୍ରହରେ ବସିଥିବାବେଳେ ଦାବୀ ମୁତାବକ ପୁରୀ ଶ୍ରୀ ମନ୍ଦିରର ୪ ଦ୍ୱାର ଖୋଲାଯିବା, ରତ୍ନ ଭଣ୍ଡାର ଖୋଲାଯାଇ ମହାପ୍ରଭୁଙ୍କ ଅଳଙ୍କାରର ଗଣତି, ମଣତି ଓ ଭଣ୍ଡାର ଘର ମରାମତ ଓ ବେଦାନ୍ତ କମ୍ପାନୀ ଦ୍ୱାରା ଅଧିଗ୍ରହଣ କରାଯାଇଥିବା ଜଗନ୍ନାଥଙ୍କ ଅମୃତମଣୋହି ଜମି ଓ ଚାଷୀଙ୍କ ଚାଷ ଜମିକୁ ତୁରନ୍ତ ଫେରସ୍ତ ଅନ୍ତର୍ଭୁକ୍ତ । ଯଦି ଏହାର ସମାଧାନ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ତୁରନ୍ତ ନ କରନ୍ତି ତା’ହେଲେ ଆଗାମୀ ଦିନରେ ରାଜ୍ୟ କଂଗ୍ରେସ ତରଫରୁ ରାଜ୍ୟ ସାରା ଜୋରଦାର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ପୂର୍ବତନ ଫୁଲବାଣୀ ବିଧାୟକ ଅଭିମନ୍ୟୁ ବେହେରା, ଜିଲ୍ଲା କଂଗ୍ରେସ ମୁଖ୍ୟ ମୁଖପାତ୍ର ଘନ କୁମାର ଶବର, ଫୁଲବାଣୀ ନଗର କଂଗ୍ରେସ ସଭାପତି ଶିବ ଶଙ୍କର ବେହେରା, ବରିଷ୍ଠ କଂଗ୍ରେସ ନେତା ହେମନ୍ତ କର, ସଂସାର ଭୋଇ, ରଜତ କୁମାର ମହାନ୍ତି, ଗୌର ଚରଣ ବେହେରା, ଫୁଲବାଣୀ ବ୍ଲକ କଂଗ୍ରେସ ସଭାପତି ପ୍ରତିଭା କହଁର, ଜିଲ୍ଲା ଯୁବ କଂଗ୍ରେସ ଉପସଭାପତି ଅନୁପମ କହଁରଙ୍କ ସମେତ ବହୁ କଂଗ୍ରେସ ନେତା ଓ କର୍ମୀ ଉପସ୍ଥିତ ଥିଲେ ।