ଜିଲ୍ଲାସ୍ତରୀୟ ଅନ୍ତଃ ବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ, ସଇଁନ୍ତଲା ବାଳିକା ଦଳ ଚାମ୍ପିୟାନ

ସଇଁନ୍ତଲା,ଏନ୍‌ଏନ୍‌ଏସ୍‌: ବଲାଙ୍ଗିର ଜିଲ୍ଲା ଗାନ୍ଧୀ ଷ୍ଟାଡିୟମରେ ଦୀର୍ଘ ୭ଦିନ ଧରି ଚାଲିଥିବା ଜିଲ୍ଲାସ୍ତରୀୟ ଅନ୍ତଃ ବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଇଁନ୍ତଲା ବାଳିକା ଦଳ ୪-୦ରେ ମୁରିବାହାଲକୁ ପରାଜିତ କରି ଟୁର୍ଣ୍ଣାମେଣ୍ଟରେ ଚାମ୍ପିୟାନ ହୋଇଛି । ସଇଁନ୍ତଲା ବାଳିକା ବିଦ୍ୟାଳୟର ଡୁଳେଶ୍ୱରୀ ବୁଡ଼େକଙ୍କୁ ଶ୍ରେଷ୍ଠ ଖେଳାଳି ଭାବେ ଅତିଥିଙ୍କ ଦ୍ୱାରା ସମ୍ମାନିତ କରାଯାଇଛି । ଚାମ୍ପିୟାନ ହୋଇଥିବା ସଇଁନ୍ତଲା ଦଳକୁ ଟ୍ରଫି ସହିତ ମାନପତ୍ର ପ୍ରଦାନ କରାଯାଇଛି । ଆଜି ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ବିଇଓ ଗୋବର୍ଦ୍ଧନ ଭୋଇ, ଏବିଇଓ ନାରାୟଣ ଭୋଇ, ଏବିଇଓ ଆର୍ତ୍ତତ୍ରାଣ ରଥ ଓ ବାଳିକା ହାଇସ୍କୁଲ ଖେଳ ଶିକ୍ଷୟତ୍ରୀ ରଞ୍ଜିତା ମିଶ୍ର ପ୍ରମୁଖ ଉପସ୍ଥିତ ରହି ଫୁଲତୋଡ଼ା ଦେଇ ବିଜେତା ଦଳକୁ ସମ୍ବର୍ଦ୍ଧନା ଜଣାଇଥିଲେ । ଏହି ମହିଳା ଦଳକୁ କୋଚ୍ ଭାବେ ଶେଷଦେବ ଯାନୀ ଟ୍ରେନିଂ ପ୍ରଦାନ କରିଥିଲେ । ଖବର ପ୍ରସାରିତ ହେବା ପରେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ବ୍ଲକ ଅଧ୍ୟକ୍ଷା ମୋନିକା ସିଂ ଭୋଇ, ବ୍ଲକ ଉପାଧ୍ୟକ୍ଷ ଗୁଣ ସାଗର ମାଝୀ, ଜିଲ୍ଲା ପରିଷଦ ସଭ୍ୟ ପ୍ରମୋଦ ଭୋଇ, ବରିଷ୍ଠ ସାମ୍ବାଦିକ ଦୟାନିଧି ସାହୁ, ତରୁଣ ବେହେରା ଓ ଦେବେନ୍ଦ୍ର ଯୋଶୀ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି ।