‘ବେଟି ବଚାଓ ବେଟି ପଢାଓ’ ଅଭିଯାନ ଅନ୍ତର୍ଗତ ଜିଲ୍ଲାସ୍ତରୀୟ ସମନ୍ୱିତ ବୈଠକ

ଦେବଗଡ଼,ଏନ୍ଏନ୍ଏସ୍: ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ସହାୟତାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ‘ବେଟି ବଚାଓ ବେଟି ପଢାଓ’ ଅଭିଯାନ ଅନ୍ତର୍ଗତ ଏଜ ଜିଲ୍ଲାସ୍ତରୀୟ ସମନ୍ୱିତ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଜି ପୂର୍ବାହ୍ନରେ ସ୍ଥାନୀୟ ଡିଆରଡିଏ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ସମ୍ମାନୀତ ଅତିଥିଭାବେ ଆରକ୍ଷୀ ଅଧୀକ୍ଷକ ମନୋଜ କୁମାର ମହାନ୍ତ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଜିଲ୍ଲା ସମାଜିକ କଲ୍ୟାଣ ବିଭାଗ ଅଧିକାରୀ ସ୍ୱର୍ଣ୍ଣଲତା ବିଶ୍ୱାସ କାର୍ଯ୍ୟକ୍ରମ ଆୟୋଜନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଜଣାଇଥିଲେ। ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ସାମଲ ‘ବେଟି ବଚାଓ ବେଟି ପଢାଓ’ ଅଭିଯାନକୁ ସଫଳ କରିବାକୁ ହେଲେ ସମାଜର ସମସ୍ତ ବର୍ଗର ଲୋକଙ୍କୁ କାର୍ଯ୍ୟକ୍ରମରେ ସାମିଲ କରି ସାମାଜିକସ୍ତରରେ ଜନସାଧାରଣଙ୍କ ମାନସିକ ପରିବର୍ତ୍ତନ କରିବାର ଆବଶ୍ୟକତା ଥିବା ଦର୍ଶାଇଥିଲେ। ଏଥିପାଇଁ ସମାଜର ସମସ୍ତ ନେତୃସ୍ଥାନୀୟ ବ୍ୟକ୍ତିଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରିବା ସହ ଜିଲ୍ଲାରେ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ପ୍ରାୟ ୫୩ ହଜାର ସଦସ୍ୟା, ଆଶା, ଅଙ୍ଗନବାଡି କର୍ମୀଙ୍କଠାରୁ ଆରମ୍ଭ କରି ପୂଜକ ପୁରୋହିତ ପର୍ଯ୍ୟନ୍ତ ସମସ୍ତଙ୍କ ସହାୟତାରେ କାର୍ଯ୍ୟକ୍ରମ ସଫଳ ହେବ ବୋଲି ମତବ୍ୟକ୍ତ କରିଥିଲେ। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାର ସମସ୍ତ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସମନ୍ୱିତ ଶିଶୁ ବିକାଶ ଅଧିକାରୀ, ସାମାଜିକ ସୁରକ୍ଷା ଅଧିକାରୀ, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟ ସଦସ୍ୟାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ପରେ ବିଭାଗ ପକ୍ଷରୁ ଆୟୋଜିତ ‘ବେଟି ବଚାଓ ବେଟି ପଢାଓ’ ଅଭିଯାନ ପାଇଁ ଦସ୍ତଖତ ସଂଗ୍ରହ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ସାମଲ ଓ ଆରକ୍ଷୀ ଅଧ୍ୟୀକ୍ଷକ ଶ୍ରୀ ମାହାନ୍ତ ବାର୍ତ୍ତା ଉଲ୍ଲେଖ କରିବା ସହ ଦସ୍ତଖତ କରି ଏହାର ଶୁଭାରମ୍ଭ କରିଥିଲେ।