ଜିଲ୍ଲା ସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦଘାଟିତ

ନବରଙ୍ଗପୁର,ଏନ୍ଏନ୍ଏସ୍‌: ଜିଲ୍ଲା ସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ଓଡ଼ିଶା ବ୍ୟାଡମିଣ୍ଟନ ସଂଘ ସହ ଅନୁବନ୍ଧିତ ଜିଲ୍ଲା ବ୍ୟାଡମିଣ୍ଟନ ସଂଘ ପକ୍ଷରୁ ସ୍ଥାନୀୟ ଇନ୍ ଡୋର ଷ୍ଟାଡିୟମ ଠାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର ଯୋଗଦେଇ ଉଦଘାଟିତ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ, ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ଅଭିମନ୍ୟୁ ମାଝୀ, ଜିଲ୍ଲା କ୍ରୀଡା ଅଧିକାରୀ ମହେନ୍ଦ୍ର କୁମାର ସାହୁ, ସୁରେଶ ଶାସ୍ତ୍ରୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତା ଦୁଇ ଦିନ ଧରି ଚାଲିବ।

ଏହି ପ୍ରତିଯୋଗିତାରେ ସିନିଅର ବର୍ଗ ଡବଲସରେ ୩୦ଟି ଦଳ, ସିଙ୍ଗିଲ୍ସରେ ୨୪ଟି ଦଳ ଓ ୪୫ ବର୍ଷରୁ ଊର୍ଦ୍ଧ୍ବ ଭେଟରାନ ବର୍ଗରେ ୧୦ଟି ଦଳ ଅଂଶ ଗ୍ରହଣ କରିଛନ୍ତି। ଉଦଘାଟନ ଉତ୍ସବରେ ସଙ୍ଘର ସଭାପତି ରାକେଶ ଗୁପ୍ତାଙ୍କ ସଭାପତିତ୍ବରେ ସମ୍ପାଦକ ଲିଙ୍ଗରାଜ ମହାନ୍ତି, ଚନ୍ଦନ ମହାରଣା, ରମାକାନ୍ତ ରାଉଳ, ଧର୍ମେନ୍ଦ୍ର ସିଂ, ଅଶୋକ ସାହୁ, ସ୍ଵାଧୀନ ପୁଜାରୀ ପ୍ରମୁଖ ସହଯୋଗ କରିଥିଲେ। ଉକ୍ତ ପ୍ରତିଯୋଗିତାକୁ ରାଜ୍ୟସ୍ତରୀୟ ସୁରଜ ମହାରଣା ଓ କପିଲ ଅଗ୍ରୱାଲ ପରିଚାଳନା କରିଥିଲେ।