ଜିଲ୍ଲାସ୍ତରୀୟ ବାବା ସାହେବ ଆମ୍ବେଦକର ଜୟନ୍ତୀ ପାଳିତ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ଭାରତର ସମ୍ବିଧାନ ପ୍ରଣେତା ଡା. ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ପାଳିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ପିଏଆଇଟିଡିଏ, ନିର୍ବାହୀ ଯନ୍ତ୍ରୀ, ପୌରପାଳିକା ନିର୍ବାହୀ ଅଧିକାରୀ, ଜିଲ୍ଲାସ୍ତରୀୟ ଅଧିକାରୀ, ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ଓ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଦ୍ୱାରା ମାଲ୍ୟାର୍ପଣ କରାଯାଇଥିଲା । ପରେ ରାଜା ଚୈତନ୍ୟ ଦେବ ନୋଡାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ଡା. କମଳ ଲୋଚନ ମିଶ୍ର, ସମ୍ମାନିତ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ବକ୍ତାଭାବେ ଜିଲ୍ଲା ବରିଷ୍ଠ ନାଗରିକ ସଂଘର ସଭାପତି ଡା. ରାଧାନାଥ ବେହେରା ଓ ଅବସରପ୍ରାପ୍ତ ପ୍ରଫେସର ଡା. ବିଜୟ କୁମାର ମିଶ୍ର ଯୋଗଦେଇ ଆମ୍ବେଦକରଙ୍କ ଆଦର୍ଶ ଆତ୍ମଜୀବନୀ ଉପରେ ଆଲୋକପାତ କରିଥିଲେ । ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ଡା. ମିଶ୍ର ଆମ୍ବେଦକରଙ୍କ ସଂଘର୍ଷମୟ ଜୀବନୀ ଉପରେ ଉଲ୍ଲେଖ କରିବା ସହ ଆଜିର ଯୁବପୀଢ଼ୀ ଓ ଛାତ୍ରଛାତ୍ରୀ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ । ବକ୍ତାଭାବେ ଡା. ମିଶ୍ର ଓ ଡା. ବେହେରା ଆମ୍ବେଦକରଙ୍କ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ଜିଲ୍ଲା ପ୍ରଶାସନ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଳ ପରିଚାଳନା କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆୟୋଜିତ କୁଇଜ୍ ପ୍ରତିଯୋଗୀତାର କୃତୀ ପ୍ରତିଯୋଗୀଙ୍କୁ ମୁଖ୍ୟଅତିଥି ଜିଲ୍ଲାପାଳ ଡା. ମିଶ୍ରଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପିଏ ଆଇଟିଡିଏ ରାଜୀବ ଲୋଚନ ସାହୁ, ବରିଷ୍ଠ ଯନ୍ତ୍ରୀ ସରୋଜ କୁମାର ପଟ୍ଟନାୟକ, ନିର୍ବାହୀ ଅଧିକାରୀ ପୌରପାଳିକା ପ୍ରାଣନାଥ ସେଠ୍‌, ରାଜା ଚୈତନ୍ୟ ଦେବ ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ଶକୁନ୍ତଳା ମହାନ୍ତି, ଅବସରପ୍ରାପ୍ତ ପ୍ରଧାନଶିକ୍ଷୟତ୍ରୀ ଜେମା ମଣି ବିଶୋଇ, ଜିଲ୍ଲାସ୍ତରୀୟ ଅଧିକାରୀ, ଚୈତନ୍ୟ ଦେବ ନୋଡାଲ ଉଚ୍ଚ ବିଦ୍ୟାଳୟ, ଏକ୍ସବୋର୍ଡ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ ଓ ବରିଷ୍ଠ ନାଗରିକ ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ ସମସ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ ।