ଭବାନୀପାଟଣା,ଏନ୍ଏନ୍ଏସ୍: ସ୍ଥାନୀୟ ଟାଉନ ହଲରେ କାୟାକଳ୍ପ ୨୦୨୧-୨୨ରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ସ୍ୱାସ୍ଥ୍ୟକେନ୍ଦ୍ରକୁ ପୁରସ୍କୃତ କରିବା ପାଇଁ ଜିଲ୍ଲାସ୍ତରୀୟ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ରୂପେ ସିଡିଏମ୍ଓ ଡା. ରଞ୍ଜନ ମିତ୍ର, ଡିପିଏଚଓ ଡା. ରାକେଶ ସାହୁ, ଏଡିପିଏଚଓ ଡା. ନିହାର ରଞ୍ଜନ ପଣ୍ଡା, ଡିପିଏମ ଅବନୀ ରଞ୍ଜନ ମହାପାତ୍ର ଓ ଡିଆଇପିଆରଓ ମନୋଜ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ମୁଖ୍ୟଅତିଥି ଶ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ ନିଜ ବକ୍ତବ୍ୟରେ କାୟକଳ୍ପ ଦ୍ୱାରା ପୁରସ୍କୃତ ବିଭିନ୍ନ ସ୍ୱାସ୍ଥ୍ୟ ଅନୁଷ୍ଠାନର ଉଲ୍ଲେଖନୀୟ ପରିବର୍ତ୍ତନ ଓ ସ୍ୱାସ୍ଥ୍ୟ ସେବାକୁ ପ୍ରଶଂସା କରିଥିଲେ । କଳାହାଣ୍ଡି ଜିଲ୍ଲାରେ କ୍ରମାଗତ ଭାବରେ ସ୍ୱାସ୍ଥ୍ୟ ଅନୁଷ୍ଠାନରେ ସ୍ୱଚ୍ଛତା, ପରିମଳ, ସଂକ୍ରମଣ ନିୟନ୍ତ୍ରଣ ଓ ଉଲ୍ଲେଖନୀୟ ସ୍ୱାସ୍ଥ୍ୟ ସେବା ପାଇଁ ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ର କାୟାକଳ୍ପ ପୁରସ୍କାର ଲାଭ କରିଛନ୍ତି । ଚଳିତ ବର୍ଷ ଜିଲ୍ଲାର ଡିଏଚଏଚ, ଏସଡିଏଚ, ପିଏଚସି, ସବସେର୍ଣ୍ଟ ଓ ୟୁପିଏଚସି ଭଳି ୬୩ଟି ସ୍ୱାସ୍ଥ୍ୟ ଅନୁଷ୍ଠାନ କାୟାକଳ୍ପ ୨୦୨୧-୨୨ ବର୍ଷ ପାଇଁ ପୁରସ୍କାର ଲାଭ କରିଛନ୍ତି । ସେଥିମଧ୍ୟରୁ ନର୍ଲାର ମୁସ୍କୁଟି ଉପସ୍ୱାସ୍ଥ୍ୟକେନ୍ଦ୍ର ରାଜ୍ୟରେ, ଦାଦପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଜିଲ୍ଲାରେ ଓ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଭବାନୀପାଟଣା ରାଜ୍ୟରେ ପ୍ରଥମ ପୁରସ୍କାର ପାଇଛନ୍ତି । ସମସ୍ତ ସ୍ୱାସ୍ଥ୍ୟ ଅନୁଷ୍ଠାନର କର୍ମକର୍ତ୍ତା ମୁଖ୍ୟଅତିଥି ତଥା ସମ୍ମାନିତ ଅତିଥିଙ୍କଠାରୁ ମାନପତ୍ର ଓ ପୁରସ୍କାର ଗ୍ରହଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏଥିରେ ବିଭିନ୍ନ ଡାକ୍ତରଖାନା ଓ ସ୍ୱାସ୍ଥ୍ୟକେନ୍ଦ୍ରରୁ ଡାକ୍ତର, ନର୍ସ, ଫାର୍ମାସିଷ୍ଟ, ଏନଏଚଏମ ଓ ମେଡିକାଲ ଷ୍ଟାଫ ଉପସ୍ଥିତ ଥିଲେ । ଶେଷରେ ଭବାନୀ ଶଙ୍କର ସାହୁ ଧନ୍ୟବାଦ ଦେଇଥିଲେ ।