୨୬ଟି ସିସିଟିଭି କବଜାରେ ରହିବ ଲୋକ ମହୋତ୍ସବ ‘ମଣ୍ଡେଇ’

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ଜିଲ୍ଲା ଲୋକ ମହୋତ୍ସବ ‘ମଣ୍ଡେଇ’ ୨୬ଟି ସିସିଟିଭି କବଜାରେ ରହିବ । ଏନେଇ ମିଳିତ ସାମ୍ୱାଦିକ ସମ୍ମିଳନୀରେ ଜିଲ୍ଲାପାଳ ଡା. କମଳ ଲୋଚନ ମିଶ୍ର ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଏସ.ସୁଶ୍ରୀ ସୂଚନା ଦେଇଛନ୍ତି। ଚଳିତ ମାସ ୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ ମଣ୍ଡେଇ ଅନୁଷ୍ଠିତ ହେବ ଓ ପଲ୍ଲିଶ୍ରୀ ମେଳା ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଚଳିତ ବର୍ଷ ରେକର୍ଡସଂଖ୍ୟକ ୩୫୦ ଷ୍ଟଲ କରାଯାଇଛି । ଲକ୍ଷାଧିକ ଜନସମାଗମକୁ ଲକ୍ଷ୍ୟ କରି ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ୫ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ସ୍ୱଚ୍ଛତା, ସୁରକ୍ଷା ଓ ସହଭାଗିତା ଉପରେ ଗୁରୁତ୍ୱ ଦିଆଯାଇଛି । ଚଳିତ ବର୍ଷ ମଣ୍ଡେଇର ମଜା ନେବା ପାଇଁ ଲକ୍ଷାଧିକ ଲୋକଙ୍କ ସମାଗମ ହେବାର ସମ୍ଭାବନା ରହିଥିବାରୁ ମଣ୍ଡେଇ ପଡ଼ିଆରେ ପିଇବା ପାଣିର ବ୍ୟବସ୍ଥା ପାଇଁ ୩ଟି ନଳକୂପ ଖୋଳାଯିବା ସହ ସ୍ୱଚ୍ଛତା ଅବଲମ୍ବନ ସକାଶେ ୧୦ଟି ଶୌଚାଳୟ, ମହିଳାଙ୍କ ଶୌଚାଳୟ ନିକଟରେ ମହିଳା ପୁଲିସ ମୁତୟନ, ୧୦ଟି ଲାଇଟ ଟାୱାର, ୨୪ ଘଣ୍ଟା ଆମ୍ବୁଲାନ୍ସ, ମେଡିକାଲ ଟିମ ଓ ଅଗ୍ନିଶମ ବିଭାଗ ନିୟୋଜିତ ରହିବେ ବୋଲି ଜିଲ୍ଲାପାଳ ଡା. ମିଶ୍ର ସୂଚନା ଦେଇଛନ୍ତି । ମହୋତ୍ସବରେ ସୁରକ୍ଷା ଓ ଟ୍ରାଫିକ ବ୍ୟବସ୍ଥାକୁ ଦୃଷ୍ଟିରୁ ରଖି ୧୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ରହିବା ସହ ୧୫ଜଣ ପୁଲିସ ଅଧିକାରୀ ମଧ୍ୟ ବିଭିନ୍ନ ଦାୟିତ୍ୱରେ ରହିବେ ବୋଲି ଏସପି ସୁଶ୍ରୀ ମଣ୍ଡେଇ କହିଛନ୍ତି । କୋଣସି ପ୍ରକାର ଅସୁବିଧା ହେଲେ ଲୋକଙ୍କ ପାଇଁ ହେଲ୍ପଲାଇନ ନମ୍ବର ମଧ୍ୟ ଜାରି କରାଯିବ ବୋଲି ଏସପି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଚନ୍ଦ୍ରଶେଖର ହୋତା, ଡିଏସପି ଯୁଗଳ କିଶୋର ମଲ୍ଲିକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଳ ପ୍ରମୁଖ ଉପସ୍ଥିତ ଥିଲେ । ସୂଚନା ଲୋକ ସମ୍ପର୍କ ବିଭାଗର କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।