ଜିଲ୍ଲା ଆଇନ ସେବା ପ୍ରାଧିକରଣ ହସ୍ତକ୍ଷେପରୁ ବୃଦ୍ଧଙ୍କୁ ମିଳିଲା ବାର୍ଦ୍ଧକ୍ୟ ଭତ୍ତା

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ନବରଙ୍ଗପୁର ଜିଲ୍ଲା ଚୁଟିଆଗୁଡ଼ା ଗ୍ରାମର ବୃଦ୍ଧ ଦୟାଦାନ ହିଆଲଙ୍କୁ ଗତ ୫ ମାସ ହେଲା ବାର୍ଦ୍ଧକ୍ୟ ଭତ୍ତା ମିଳିନଥିବା ଖବର ଜିଲ୍ଲା ଆଇନ ସେବା ପ୍ରାଧିକରଣ ନଜରରେ ଆସିଥିଲା । ପରେ ଏହି ଖବର ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଜନକ ରାଉତଙ୍କ ପାଖରେ ପହଞ୍ଚିଥିଲା । ସଚିବ ଜନକ ରାଉତ କଥାଟିର ଗୁରୁତ୍ୱ ବୁଝି ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଓ ଦୌରାଜଜ ସଂଜୀବ ଦୁବେଙ୍କ ସହ ଆଲୋଚନା କରିଥିଲେ । ଜିଲ୍ଲା ଦୌରାଜଜ ସଂଜୀବ ଦୁବେଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ କୁମାର ପାତ୍ର ଓ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ କଥା ହୋଇଥିଲେ ଏବଂ ବୃଦ୍ଧଙ୍କୁ କିପରି ସାହାଯ୍ୟ ମିଳିପାରିବ ସେନେଇ ବ୍ୟବସ୍ଥା କରିବାକୁ କହିଥିଲେ । ଏହି ନିର୍ଦ୍ଦେଶକ୍ରମେ ବୃଦ୍ଧଙ୍କୁ ବାର୍ଦ୍ଧକ୍ୟ ଭତ୍ତା ୨,୫୦୦ ଟଙ୍କା ତାଙ୍କ ଘରେ ଜିଲ୍ଲା ପ୍ରଶାସନ ତରଫରୁ ପ୍ରଦାନ କରାଯାଇଛି ।