ପ୍ରଧାନମନ୍ତ୍ରୀ ଫସଲ ବୀମା ପ୍ରଦାନ ଦାବିରେ ଜିଲ୍ଲା କୃଷକ ସଂଘର୍ଷ ସଂଘ ପକ୍ଷରୁ ଚାଷୀଙ୍କ ବିକ୍ଷୋଭ

ଦେବଗଡ଼, ଏନ୍‌ଏନ୍‌ଏସ୍‌: ଜିଲ୍ଲା କୃଷକ ସଂଘର୍ଷ ସଂଘ ପକ୍ଷରୁ ଆଜି ପ୍ରଧାନମନ୍ତ୍ରୀ ଫସଲ ବୀମା ପ୍ରଦାନ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗଣଧାରଣା ଆରମ୍ଭ ହୋଇଛି । ପୂର୍ବାହ୍ନରେ ସଂଘ ସଭାପତି ସେମ ହେମ୍ରମ ଓ ସମ୍ପାଦକ ଗୁଣନିଧି ବେହେରାଙ୍କ ନେତୃତ୍ୱରେ ବହୁ ଚାଷୀ ଗୋପାଳଜି ମନ୍ଦିର ପ୍ରାଙ୍ଗଣରୁ ଏକ ଶୋଭାଯାତ୍ରାରେ ବାହାରି ବିଭିନ୍ନ ସ୍ଲୋଗାନ ଦେଇ ନଗର ପରିକ୍ରମା କରିଥିଲେ । ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲାର ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ନ ମିଳିବା ପର୍ଯ୍ୟନ୍ତ ଧାରଣାରେ ବସିବେ ବୋଲି କହିଛନ୍ତି ।

ଚାଷୀଙ୍କ ଅଭିଯୋଗ ଅନୁଯାୟୀ, ପଡ଼ୋଶୀ ଜିଲ୍ଲା ଗୁଡ଼ିକରେ ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ପ୍ରଦାନ କରାଯାଇଥିବାବେଳେ ଦେବଗଡ଼ ଜିଲ୍ଲାର ଚାଷୀ ଏପର୍ଯ୍ୟନ୍ତ ବୀମା ରାଶିରୁ ବଞ୍ଚିତ ରହିଛନ୍ତି । କୃଷି ପ୍ରଧାନ ଦେବଗଡ଼ ଜିଲ୍ଲାରେ କୃଷି ଉପରେ ନିର୍ଭର କରି ଚାଷୀ ତାର ପରିବାର ପ୍ରତିପୋଷଣ କରୁଥିବାବେଳେ କୃଷି ଉତ୍ପାଦନ ଉପରେ ଜିଲ୍ଲାର ଆର୍ôଥକ ଅବସ୍ଥା ନିର୍ଭର କରିଥାଏ । ଅନ୍ୟପଟେ ଜିଲ୍ଲାରେ ଜଳସେଚନର ବିଶେଷ ସୁବିଧା ନ ଥିବା ଯୋଗୁ ଚାଷୀ ବର୍ଷା ଜଳ ଉପରେ ଅଧିକ ନିର୍ଭର କରିଥାଏ । ମାତ୍ର ସ୍ୱଳ୍ପ ବୃଷ୍ଟିପାତ ଯୋଗୁ ବିଶେଷ ଭାବେ ଖରିପ ଫସଲ ପ୍ରଭାବିତ ହୋଇଥାଏ । ଏହି କ୍ଷେତ୍ରରେ ଫସଲ ବୀମା କରିଥିବା ଚାଷୀ କିଛିକାଂଶରେ ନିଜର ଆର୍ଥିକ କ୍ଷତି ଭରଣା ପାଇଁ ଆଶା ବାନ୍ଧି ଥିବାବେଳେ ବୀମା କମ୍ପାନୀଙ୍କ ବେପରୁଆ ମନୋଭାବ ଯୋଗୁ ଚାଷୀ ବୀମା ଅର୍ଥ ପାଇବାରୁ ବଞ୍ଚିତ ରହିଛନ୍ତି । ଏନେଇ ଚାଷୀ ସଂଗଠନ ପକ୍ଷରୁ ଜିଲ୍ଲା ପ୍ରଶାସନ ନିକଟରେ ବହୁବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଚାଷୀ ଆଜିଠାରୁ ଗଣଧାରଣାରେ ବସିଛନ୍ତି ।