ମନ୍ତ୍ରୀଙ୍କ ଜିଲ୍ଲା ଦିବ୍ୟାଙ୍ଗ ବିଦ୍ୟାଳୟ ପରିଦର୍ଶନ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ବୁଡ଼ାପଡ଼ାସ୍ଥିତ ଝାଡ଼େଶ୍ଵରୀ ସ୍ଵତନ୍ତ୍ର ଦିବ୍ୟାଙ୍ଗ ସ୍କୁଲକୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଅଶୋକ କୁମାର ପଣ୍ଡା ପରିଦର୍ଶନ କରିଛନ୍ତି। ବିଦ୍ୟାଳୟ ପରିଦର୍ଶନ ସମୟରେ ଶ୍ରୀ ପଣ୍ଡା ପିଲାଙ୍କ ସହ ସ୍କୁଲର ସୁବିଧା ଅସୁବିଧା ବିଷୟରେ ପଚାରି ବୁଝିଛନ୍ତି। ଏହାସହ ଦୃଷ୍ଟି ବଧିତ, ମୁକ ବଧିର, ମାନସିକ ଅନଗ୍ରସର ଓ ମସ୍ତିସ୍କ ପକ୍ଷଘାତ ପିଲାଙ୍କୁ ପ୍ରଦାନ କରୁଥିବା ସ୍ୱତନ୍ତ୍ର ଶିକ୍ଷା, ବ୍ରେଲି ଶିକ୍ଷା, ବାକ ଚିକିତ୍ସା, ଶାରୀରିକ ଚିକିତ୍ସା, ଭୌତିକ ଚିକିତ୍ସା ତଥା ଡିଜିଟାଲ ମାଧ୍ୟମରେ ଶିକ୍ଷା ବିଷୟରେ ଶିକ୍ଷକଙ୍କୁ ପଚାରି ବୁଝିଥିଲେ। ଏହି ସମୟରେ ଶ୍ରେଣୀଗୃହ ବୁଲି ଦେଖିବା ସହ ବିଦ୍ୟାଳୟରେ ଥିବା ୩ଜଣ ଅନ୍ତେବାସୀଙ୍କ ସହ ମଧ୍ୟ କଥା ହୋଇଥିଲେ । ଏହି ଅବସରରେ ଭାରପ୍ରାପ୍ତ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମଦନଜିତ ହୋତା, ସଦର ସାମାଜିକ ସୁରକ୍ଷା ଅଧିକରିଣୀ ପ୍ରତିଭା ବେହେରା, ବିଦ୍ୟାଳୟ ପ୍ରତିଷ୍ଠାତା ବିବେକା ନନ୍ଦ ମିଶ୍ର, କାର୍ୟ୍ୟକାରୀ ସଭାପତି ପଣ୍ତିତ ନିକୁଞ୍ଜ ବିହାରୀ ମିଶ୍ର, ସଚିବ ହରିଶଙ୍କର ପୁରୋହିତ, ଅଧ୍ୟକ୍ଷା ମମତା ଦାଶ, ସ୍ଵତନ୍ତ୍ର ଶିକ୍ଷୟତ୍ରୀ ନମିତା ନାଥ, ସୁଲୋଚନା ସାହୁ, ଉପେନ୍ଦ୍ର ଭାଇଁସା ଓ ରମିତା ସେଠ ପ୍ରମୁଖ ଉପସ୍ଥିତ ଥିଲେ। ବିଦ୍ୟାଳୟ ତରଫରୁ କିଛି ଅସୁବିଧା ବିଷୟରେ ମନ୍ତ୍ରୀଙ୍କୁ ଅବଗତ କରାଯାଇଥିବା ବେଳେ ମନ୍ତ୍ରୀ ଶ୍ରୀ ପଣ୍ଡା ବିଦ୍ୟାଳୟର ସମସ୍ତ ସମସ୍ୟା ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।