ଓଡ଼ିଶାର ୨୦ଟି ଜିଲ୍ଲାରେ ନିର୍ମାଣ ହେବ ବଡ଼ଦେଓ ପାଠାଗାର

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଓଡ଼ିଶାର ୨୦ଟି ଗୋଁଣ୍ଡ ବହୁଳ ଜିଲ୍ଲାରେ ବଡ଼ଦେଓ ପାଠାଗାର ନିର୍ମାଣ ହେବ ବୋଲି ଅଖିଳ ଭାରତୀୟ ଗୋଁଣ୍ଡୱାନା ଗୋଁଣ୍ଡ ମହାସଭା ଓଡ଼ିଶା ପ୍ରଦେଶର କାର୍ଯ୍ୟକାରିଣୀ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଗୋଁଣ୍ଡଓାନ ଗୋଁଣ୍ଡ ସମାଜର ରାଜ୍ୟ ସଭାପତି ମହେନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପିଲାଙ୍କୁ ଉନ୍ନତମାନର ଶିକ୍ଷା ଯୋଗାଇବା ପାଇଁ ଏହି ପାଠାଗାର ଶୀଘ୍ର ନିର୍ମାଣ କରାଯିବ ବୋଲି ମତପ୍ରକାଶ ପାଇଛି। ଏଥିପାଇଁ ୨୦୦ ଗୋଁଣ୍ଡ ପରିବାରରେ ଗୋଟିଏ ଲେଖାଏଁ ଗୁଡ଼ି କମିଟୀ ଗଠନ କରାଯିବ। ପ୍ରତି ଗୁଡ଼ିରେ ବଡ଼ଦେଓ ପାଠାଗାର ଖୋଲି ପିଲାଙ୍କୁ ଅତ୍ୟାଧୁନିକ ପ୍ରଣାଳୀରେ ଶିକ୍ଷା ପ୍ରଦାନ କରାଯିବ। ଏହାର ମୁଖ୍ୟ କାର୍ଯ୍ୟାଳୟ ପ୍ରଥମେ ଝାରସୁଗୁଡ଼ା ଓ ପରେ ପରେ ସଂପୃକ୍ତ ଜିଲ୍ଲା ସଦର ମହକୁମାରେ କାର୍ଯ୍ୟ କରିବ ବୋଲି ଗୋଁଣ୍ଡଓାନା ଗୋଁଣ୍ଡ ସମାଜ ପକ୍ଷରୁ କୁହାଯାଇଛି। ଅନ୍ୟପଟେ ମୟୁରଭଞ୍ଜ ଜିଲ୍ଲାର ଗୋଁଣ୍ଡ ସମାଜର ଝରାଫୁଲ ନାୟକଙ୍କୁ ନିର୍ମମ ଭାବରେ ହତ୍ୟା କରିଥିବା ଘଟଣାକୁ ବୈଠକରେ ନିନ୍ଦା କରିବା ସହ ୭ ଦିନ ମଧ୍ୟରେ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ରାଜ୍ୟ ଗୋଁଣ୍ଡ ମହାସଭା ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବ ବୋଲି ମତପ୍ରକାଶ ପାଇଛି। ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ରବି ନାରାୟଣ ନାୟକ, ପ୍ୟାରୀମୋହନ ନାୟକ, ସଦାଶିବ ନାୟକ ଓ ମୀନକେତନ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।