ଗୋହିରା ଜଳଭଣ୍ଡାର ପୁନଃଉଦ୍ଧାର ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲା କଂଗ୍ରେସର ଦାବିପତ୍ର ପ୍ରଦାନ

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲାରେ ଚଳିତ ଖରିଫ ଋତୁରେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ସମ୍ଭାବ୍ୟ ମରୁଡି ପରିସ୍ଥିତି ଦେଖାଯାଇଛି। ଏହି ସମୟରେ ଜିଲ୍ଲାର ଏକ ମାତ୍ର ମଧ୍ୟମ ଜଳସେଚନ ପ୍ରକଳ୍ପ ଗୋହିରା ନଦୀବନ୍ଧ ପାଣି ଅଭାବରୁ ଶୁଖିଯିବା କାରଣରୁ ତିଳେଇବଣି ବ୍ଲକ ଅନ୍ତର୍ଗତ ୮୮ଟି ଗ୍ରାମରେ କୃଷି କାର୍ଯ୍ୟ ଠପ ହୋଇପଡିଛି। ଏହାର ପ୍ରତିକାର ଦାବିରେ ଆଜି ପୂର୍ବାହ୍ଣରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ଉମାଶଙ୍କର ସାହୁଙ୍କ ନେତୃତ୍ୱରେ ବହୁ ଦଳୀୟ ପଦାଧିକାରୀ ଓ କର୍ମୀ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଉପଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇଙ୍କୁ ପ୍ରଦାନ କରିଥିଲେ।

ଏହି ଦାବିପତ୍ରରେ ଜଳସେଚନ ବିଭାଗର ଅଧିକାରୀଙ୍କ ଦୁର୍ନୀତି ଖୋର ମନୋଭାବ ଯୋଗୁଁ ଦୀର୍ଘବର୍ଷ ଧରି ଗୋହିରା ଜଳଭଣ୍ଡାରର ସଠିକ ରକ୍ଷଣାବେକ୍ଷଣ କରାଯାଉନଥିବାରୁ ଜଳଭଣ୍ଡାରଟି ପୋତି ହୋଈ ଜଳଧାରଣ କ୍ଷମତା ହରାଇଛି। ଫଳରେ ଚଳିତ ବର୍ଷ ଜିଲ୍ଲାରେ ବର୍ଷାଭାବ ସମୟରେ ଜଳଭଣ୍ଡାର ଜଳଶୂନ୍ୟ ହୋଇପଡ଼ିଛି। ତିଳେଇବଣି ବ୍ଲକ ଅନ୍ତର୍ଗତ କଂସର, ଢୋଲପଡା, କେନ୍ଦେଇଜୁରୀ, ଦୁଧିଆନାଲି, ସଢ଼ୋ, ଝରାଗୋଗୁଆ, ଲଇମୁରା, ପାରପୋଷି, ଗଣ୍ଡମ, ଝାରମୁଣ୍ଡା, ଡ଼ିମିରିକୁଦା, ସୁଗୁଡା ରିଆମାଳ ବ୍ଲକର ବୁଢାପାଳ, କରଲଗା ଓ ବୁଡିଦୋ ଏବଂ ବାରକୋଟ ବ୍ଲକର ବସାଲୋଇ ସମେତ ବହୁ ପଞ୍ଚାୟତରେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଚାଷ ଜମି ପାଣି ଅଭାବରୁ ଫାଟି ଆଁ କରିଛି। ଅନେକ ଚାଷୀ ଏଯାଏଁ ରୁଆ କାର୍ଯ୍ୟ ସାରି ପାରି ନାହାନ୍ତି। ଏହି କାରଣରୁ ଚଷୀଙ୍କ ଆର୍ଥିକ କ୍ଷତିକୁ ଭରଣା ପାଇଁ ସରକାର ପଦକ୍ଷେପ ନେବାକୁ ଦାବି କରାଯାଇଛି।

ସ୍ମାରକପତ୍ର ପ୍ରଦାନ ବେଳେ ଜିଲ୍ଲା କଂଗ୍ରେସ କୃଷକ ସେଲ ସଭାପତି ସନ୍ତୋଷ କୁମାର ସାହୁ, ଏସସି ସେଲ ସଭାପତି ମଞ୍ଜୁଳ ନାଏକ, ଏସଟି ସେଲ ସଭାପତି କ୍ଷେତ୍ର କୁମାର ପାତ୍ର, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ମଞ୍ଜୁଲତା ନାୟକ, ଜିଲ୍ଲା କଂଗ୍ରେସ ସମ୍ପାଦକ ସଚ୍ଚିଦାନନ୍ଦ ପଟ୍ଟନାୟକ, ତିଳେଇବଣି ବ୍ଲକ କଂଗ୍ରେସ ସଭାପତି ଗଣେଶ ପ୍ରଧାନ, ବରିଷ୍ଠ କଂଗ୍ରେସ ନେତା ପ୍ରମୋଦ କୁମାର ମିଶ୍ର, ନଗର କଂଗ୍ରେସ ସଭାପତି ପ୍ରକାଶ ଚନ୍ଦ୍ର ଦେବତା, ପୂର୍ବତନ ନଗର କଂଗ୍ରେସ ସଭାପତି ସୁବାସ ଚନ୍ଦ୍ର ଭୋଇ, କ୍ଷୀତିଶ କୁମାର ପ୍ରଧାନ ଓ ମିଡ଼ିଆ ସେଲ ସଂଯୋଜକ ପଞ୍ଚୁଲାଲ ବରାଇଙ୍କ ସମେତ ବହୁ ପୁରୁଷ ଓ ମହିଳା କର୍ମୀ ଉପସ୍ଥିତ ଥିଲେ।