୯ମ ଶ୍ରେଣୀ ଛାତ୍ର ଦଶମ ପାସ୍ ହେବା ଘଟଣା, ତଦନ୍ତ ପାଇଁ ଗଠନ ହେଲା ୩ ଜଣିଆ କମିଟି

ରାୟଗଡା,ଏନ୍ଏନ୍ଏସ୍: ରାୟଗଡା ଜିଲ୍ଲା ଟିକିରି ସରକାରୀ ଉଚ୍ଚ ବିଦ୍ୟାଳୟର ୯ମ ଶ୍ରେଣୀର ଛାତ୍ରଙ୍କ ଦଶମ ପାସ୍ ହେବା ଘଟଣାର ଆରମ୍ଭ ହୋଇଛି ଖୋଳତାଡ। ଛାତ୍ର ଜଣକ ୫ ହଜାର ଟଙ୍କା ଲାଞ୍ଚ ଦେଇ ଦଶମ ଶ୍ରେଣୀ ପାସ୍ ହେବା ଘଟଣା ପ୍ରଘଟ ପରେ ଅତି ଗୁରୁତର ଭାବେ ନେଇଛି ଶିକ୍ଷା ବିଭାଗ। ବିଭିନ୍ନ ଗଣମାଧ୍ୟମରେ ଏପରି ସାଂଘାତିକ ବ୍ୟତିକ୍ରମର ଖବର ପ୍ରକାଶ ପାଇବା ପରେ ନିଜ ଭାବମୂର୍ତ୍ତୀକୁ ରକ୍ଷା କରିବା ପାଇଁ ତରବରିଆ ଭାବେ ତଦନ୍ତ ନିର୍ଦେଶ ଦେଇଛନ୍ତି ଜିଲ୍ଲା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହା। ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଭଜନଲାଲ୍ ମାଝୀଙ୍କ ନେତୃତ୍ୱରେ ଏକ ୩ ଜଣିଆ ଟିମ୍ ଗଠନ କରାଯାଇଛି। ଏହି ଟିମ୍ ସଂପୃକ୍ତ ବିଦ୍ୟାଳୟକୁ ଯାଇ ପ୍ରଧାନଶିକ୍ଷକ ଓ ଛାତ୍ର ପିଣ୍ଟୁ ମାଝୀଙ୍କ ବୟାନ ରେକର୍ଡ କରିବା ସହ ସାମଗ୍ରୀକ ଘଟଣାର ତଦନ୍ତ କରିବ।

ଟିକିରି ସରକାରୀ ଉଚ୍ଚ ବିଦ୍ୟାଳୟର ଜଣେ ନବମ ଶ୍ରେଣୀର ଛାତ୍ର ପିଣ୍ଟୁ ମାଝୀ ଚଳିତ ବର୍ଷ ଜାନୁଆରୀ ମାସ ୧୮ ତାରିଖ ଦିନ ଅନ୍ୟତ୍ର ପାଠପଢିବା ପାଇଁ ବିଦ୍ୟାଳୟରୁ ଟିସି (ବଦଳି ପ୍ରମାଣପତ୍ର) ନେଇଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ଲୋଚନ ଖରା ପିଣ୍ଟୁ ମାଝୀଙ୍କୁ ଟିସି ପାଇଁ ପ୍ରମାଣପତ୍ର ପ୍ରଦାନ କରିଥିଲେ। ଟିସି ନେବା ପରେ ଚଳିତ ଜୁନ୍ ମାସ ୨୫ ତାରିଖ ଦିନ ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ପିଣ୍ଟୁ ୨୭୨ ନଂମ୍ବର ରଖି ‘ଡି’ ଗ୍ରେଡରେ ପାସ୍ କରିଥିବା ଜଣାପଡିଥିଲା। ପରୀକ୍ଷା ଫଳ ପ୍ରକାଶ ପାଇ ଇତି ମଧ୍ୟରେ ଏକ ମାସରୁ ଊର୍ଦ୍ଧ୍ୱ ବିତିଯାଇଥିଲେ ସୁଦ୍ଧା ବିଦ୍ୟାଳୟର ପ୍ରଧାନଶିକ୍ଷକ ଉପରିସ୍ଥ ଅଧିକାରୀ କିମ୍ବା ବୋର୍ଡ କର୍ତ୍ତୃପକ୍ଷଙ୍କୁ ଜଣାଇନଥିବା ପ୍ରଧାନଶିକ୍ଷକ ଲୋଚନ ଖରା କାର୍ଯ୍ୟ କାରିତା ଉପରେ ପ୍ରଶ୍ନ ସୃଷ୍ଟି କରିଛି। ସେପଟେ ଛାତ୍ର ପିଣ୍ଟୁ ଉଚ୍ଚ ଶିକ୍ଷା ପାଇଁ ଆବେଦନ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ଏହି ଘଟଣା ପ୍ରଘଟ ହୋଇଥିଲା। ଟିକିରି ସରକାରୀ ଉଚ୍ଚ ବିଦ୍ୟାଳୟରେ ମୋଟ ୨୧୭ ଜଣ ଦଶମ ଶ୍ରେଣୀ ପିଲାଙ୍କ ମାର୍କ ଟେବୁଲେସନ୍ ହୋଇ ମାର୍ଚ୍ଚ ମାସରେ ଅନଲାଇନ୍ ମାଧ୍ୟମରେ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇଥିଲା। ଟିସି ନେଇଥିବା ପିଣ୍ଟୁ ମାଝୀଙ୍କ ନାମକୁ ପ୍ରଧାନଶିକ୍ଷକଙ୍କ ଜାଣତରେ ଚଞ୍ଚକତା କରି ଅନଲାଇନ୍ ମାଧ୍ୟମରେ ୨୧୭ ଛାତ୍ରଛାତ୍ରୀଙ୍କ ତାଲିକାରେ ଭର୍ତ୍ତି କରାଯାଇଥିଲା। ଫଳରେ ସମସ୍ତ ଛାତ୍ରଛାତ୍ରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ପରେ ପିଣ୍ଟୁ ମାଝୀଙ୍କ ଠାରୁ ପ୍ରଧାନଶିକ୍ଷକ ଲୋଚନ ଖରା ୫୦୦୦ ଟଙ୍କା ଉତ୍କୋଚ ନେଇଥିବା ଖୋଦ୍ ପିଣ୍ଟୁ ପ୍ରତିକ୍ରିଆରେ କହିଛନ୍ତି। ଫଳରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଉଦ୍ଦେଶ୍ୟମୂଳକ ଭାବେ ଛାତ୍ର ପିଣ୍ଟୁଙ୍କୁ ତାଲିକାଭୁକ୍ତ କରିଥିବା ଏବେ ସ୍ପଷ୍ଟ ହୋଇଛି। ଏନେଇ ପ୍ରଧାନଶିକ୍ଷକଙ୍କୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି।

ଏହି ଘଟଣାକୁ ଅତି ଗୁରୁତର ଭାବେ ନିଆଯାଇଥିବା ବେଳେ ଦୋଷୀ ସାବ୍ୟସ୍ତ ହେଲେ ପ୍ରଧାନଶିକ୍ଷକଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହା ପ୍ରକାଶ କରିଛନ୍ତି। ୫ ହଜାର ଟଙ୍କା ଲାଞ୍ଚ ନେଇ ମାଟ୍ରିକ୍ ପାସ୍ କରିବା ଘଟଣା ବାହାରକୁ ଆସିବା ପରେ ସଂପୃକ୍ତ ପ୍ରଧାନଶିକ୍ଷକ ଏବେ ଔଷଧ ବିକଳରେ ତାଟିଆ କାମୁଡୁଥିବା ଜଣାପଡିଛି। ଏନେଇ ଆମେ ପ୍ରଧାନଶିକ୍ଷକଙ୍କ ପ୍ରତିକ୍ରିଆ ନେବାରୁ ସେ ଟିସି ନେବା ପରେ ସମ୍ପୃକ୍ତ ଛାତ୍ର ପୁଣିଥରେ ବିଦ୍ୟାଳୟରେ ନାମ ଲେଖାଇଥିଲେ ବୋଲି ଉତ୍ତର ଦେଉଛନ୍ତି। ତେବେ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କଲେ ସମସ୍ତ ଘଟଣା ଲୋକଲୋଚନକୁ ଆସିବ ବୋଲି ସାଧାରଣାରେ ଚର୍ଚ୍ଚା ହେଉଛି।