ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଉଠା ପନିପରିବା ଦୋକାନୀ

ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସମଲେଶ୍ୱରୀ ମନ୍ଦିର ଛକଠାରୁ ବିକ୍ରମ ଛକ ପର୍ଯ୍ୟନ୍ତ ବସୁଥିବା ଉଠା ପନିପରିବା ଦୋକାନୀଙ୍କୁ ପ୍ରଶାସନ ତରଫରୁ ସ୍ଥାନୀୟ କଳାମଣ୍ଡଳ ପଡ଼ିଆରେ ବସିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାଦ୍ୱାରା ଉଭୟ ପନିପରିବା ଦୋକାନୀ ଓ ଗ୍ରାହକ ସାମାଜିକ ଦୂରତ୍ୱ ପାଳନ କରିବା ସହ ନିଜ ନିଜ ଆବଶ୍ୟକତା ପୂରଣ କରିପାରିବେ । ତେବେ ଏହା ବିରୋଧରେ ଆଜି ଉକ୍ତ ପନିପରିବା ଦୋକାନୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ । ବିଗତ ୬ ମାସ ହେଲା ଲକଡାଉନର ଶିକାର ହୋଇ ସେମାନେ ଆର୍ଥିକ ‌ସଟର ସାମ୍ନା କରିଥିବାବେଳେ ଅନଲକ୍ ପରେ ମଧ୍ୟ ବାରମ୍ବାର ତାଙ୍କୁ ନିଜ ସ୍ଥାନରୁ ହଟାଇବା ଯୋଗୁ ବ୍ୟବସାୟ ବିଶେଷ ରୂପେ ବାଧାପ୍ରାପ୍ତ ହେଉଥିବା ସେମାନେ ଅଭିଯୋଗ କରିଛନ୍ତି । ତେବେ ତାଙ୍କ ପାଇଁ ଜିଲ୍ଲା ପ୍ରଶାସନ ଏକ ସ୍ଥାୟୀ ଜାଗାର ବ୍ୟବସ୍ଥା କଲେ ସେମାନେ ନିଜର ଜୀବାକା ଉପାର୍ଜନ କରିବା ସହ କରୋନା ନୀତିନିୟମକୁ ମାନି ପ୍ରଶାସନକୁ ସହଯୋଗ କରିପାରିବେ ବୋଲି କହିଥିଲେ। ଉପଜିଲ୍ଲାପାଳ ସୁଧାକର ନାୟକ, ପୌର ଅଧିକାରୀ ବିପିନ ଦୀପ ଓ ଆଦର୍ଶ ଥାନା ଅଧିକାରୀ ସଂଗ୍ରାମ କେଶରୀ ପଟ୍ଟନାୟକ ଘଟଣାସ୍ଥଳକୁ ଆସି ସେମାନଙ୍କୁ ବୁଝାସୁଝା କରିବା ପରେ ବ୍ୟବସାୟୀମାନେ ଫେରି ଯାଇଥିଲେ । ତେବେ ସହରର ଅନ୍ୟ ରାସ୍ତାମାନଙ୍କରୁ ମଧ୍ୟ ଉଠା ଦୋକାନୀଙ୍କୁ ଉଚ୍ଛେଦ କରାନଗଲେ ସେମାନେ ପୁଣିଥରେ ନିଜ ନିଜ ସ୍ଥାନରେ ଦୋକାନ ଖୋଲିବାକୁ ବାଧ୍ୟ ହେବେ ବୋଲି ପ୍ରଶାସନକୁ ଚେତାବନୀ ଦେଇଛନ୍ତି ।