ଚର୍ଚ୍ଚାରେ ଜୟପୁର ଯୁବକ: ଯବାନଙ୍କ ପାଇଁ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମାଣ କଲେ ବୁଲେଟ୍ ପ୍ରୁଫ୍ ହେଲମେଟ୍

କୋରାପୁଟ,ଏନ୍ଏନ୍ଏସ୍: ଜୟପୁର ନୂଆ ସାହିର ଜଣେ ଯୁବ ଇଞ୍ଜିନିୟର ଯବାନଙ୍କ ପାଇଁ ସ୍ୱଦେଶୀ ଜ୍ଞାନ କୌଶଳରେ ଏକ ବୁଲେଟ୍ ପ୍ରୁଫ୍ ହେଲମେଟ୍ ନିର୍ମାଣ କରିଛନ୍ତି। ଜୟପୁର ନୂଆ ସାହି ବାସିନ୍ଦା ଧ୍ରୁବ ମଲ୍ଲିକଙ୍କ ପୁଅ ଶିଶିର ମଲ୍ଲିକ ରାୟଗଡ଼ାର ଏକ ଇଞ୍ଜିନିଅରିଂ କଲେଜରୁ ଇଲେକ୍ଟ୍ରୋନିକ୍ସ୍ ଇଞ୍ଜିନିଅରିଂ ପଢ଼ା ଶେଷ କରିଛନ୍ତି। ଦେଶର ସୁରକ୍ଷାରେ ନିୟୋଜିତ ଯବାନମାନଙ୍କୁ ସ୍ୱଦେଶୀ ଜ୍ଞାନ କୌଶଳରେ ଅତ୍ୟାଧୁନିକ ମାରଣାସ୍ତ୍ର ଆକ୍ରମଣରୁ କିପରି ରକ୍ଷା କରାଯିବ ସେନେଇ ଚିନ୍ତା କରି ସ୍ୱଦେଶୀ ଜ୍ଞାନ କୌଶଳରେ ବୁଲେଟ୍ ପ୍ରୁଫ୍ ହେଲମେଟ୍ ପ୍ରସ୍ତୁତି କରିବାକୁ ଉଦ୍ୟମ ଆରମ୍ଭ କରି ସଫଳତା ପାଇଛନ୍ତି।


ଶିଶିରଙ୍କ ମତ ଅନୁଯାୟୀ, ସ୍ୱଦେଶୀ ଟେକ୍ନୋଲୋଜିରେ ପ୍ରତିରକ୍ଷା ସାମଗ୍ରୀ ପ୍ରସ୍ତୁତି, କୃଷକ ବିକାଶ ଯୋଜନା, ସ୍ୱଦେଶୀ ଜିନିଷ ବ୍ୟବହାର କରିବା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱନ ପରେ ସେ ସୈନିକମାନଙ୍କ ପାଇଁ ଚିନ୍ତା କରିଥିଲେ। ବର୍ତ୍ତମାନ ପ୍ରତିରକ୍ଷା କ୍ଷେତ୍ରରେ ଯବାନମାନେ ମୁକୁଟ ଓ ୱାଟାକା ଭଳି ବୁଲେଟ୍ ପ୍ରୁଫ୍ ହେଲମେଟ୍ ବ୍ୟବହାର କରୁଛନ୍ତି, ହେଲେ ପ୍ରତିପକ୍ଷର ଏକେ-୪୭, ଏ-୯୬, ଏମ୍-୧୯ ଭଳି ଅତ୍ୟାଧୁନିକ ମାରଣାସ୍ତ୍ରର ଆକ୍ରମଣରେ ଏହା ସୁରକ୍ଷା ଯୋଗାଇବାରେ ଅସଫଳ ହେଉଛି। ତେଣୁ ଆମ ଯବାନଙ୍କୁ ସୁରକ୍ଷିତ ଯୋଗାଇ ଦେବାକୁ ସେ ସେନସର ଲାଗିଥିବା ରୋବର୍ଟ ହେଲମେଟ୍ ତିଆରି କରିଥିବା ଶିଶିର ମଲ୍ଲିକ ମତବ୍ୟକ୍ତ କରିଛନ୍ତି। ଏଥିସହ ତାଙ୍କ ଦ୍ୱାରା ପ୍ରସ୍ତୁତ ସେନସର ଯୁକ୍ତ ରୋବର୍ଟ ହେଲମେଟ୍ ୩୬୦ ଡିଗ୍ରୀ କଭରେଜ୍ ଦେବା ସହ ଶତ୍ରୁ କେଉଁ ଦିଗରୁ ଆକ୍ରମଣ କରିବାକୁ ଯାଉଛି ତାହା ଆମ ଯବାନଙ୍କୁ ସୂଚାଇ ଦେବା ଓ ପ୍ରତିଆକ୍ରମଣ କରିବା ଟେକ୍ନୋଲୋଜି ରହିଥିବା କହିଛନ୍ତି।

ସୂଚନା ଥାଉକି, ଶିଶିରଙ୍କ ବାପା ଧ୍ରୂବ ମଲ୍ଲିକ ଜୟପୁର ସେବା ପେପର୍ ମିଲରେ ଜଣେ କର୍ମଚାରୀ। ବର୍ତ୍ତମାନ ପେପର୍ ମିଲ୍ ବନ୍ଦ ଥିବାରୁ ଆର୍ଥିକ ସମସ୍ୟା ଭିତରେ ସେ ପରିବାର ଚଳାଉଥିଲେ ମଧ୍ୟ ପୁଅର ଏପରି ଉଦ୍ୟମକୁ କେବେ ସେ ପ୍ରତିବାଦ କରି ନାହାନ୍ତି। ବରଂ ପୁଅକୁ ଉତ୍ସାହିତ କରି ଆସିଛନ୍ତି। ତେବେ ଅନେକ ବାଧା ବିଘ୍ନ ଓ ଆର୍ଥିକ ସମସ୍ୟା ସତ୍ତ୍ବେ ଶିଶିର ରୋବର୍ଟ ହେଲମେଟର ସଫଳତା ପଛରେ ଲାଗି ପଡିଛନ୍ତି। ସରକାର ଏହାକୁ କେତେ ଦୂର ଗ୍ରହଣ କରିବେ ତାହା ସମୟ ହିଁ କହିବ। ଶିଶିର ମଲ୍ଲିକଙ୍କୁ ସରକାରୀ ପ୍ରୋତ୍ସାହନ ମିଳିଲେ ସେ ଏହି କ୍ଷେତ୍ରରେ ଆହୁରି ଆଗକୁ ବଢ଼ି ପାରିବେ ବୋଲି ବାପା ଧ୍ରୁବ ମଲ୍ଲିକ ଓ ସ୍ଥାନୀୟ ବାସିନ୍ଦା ମତପ୍ରକାଶ କରିଛନ୍ତି।

ସେହିପରି କୋରାପୁଟ ଜିଲ୍ଲାରେ ପ୍ରାକୃତିକ ସମ୍ପଦ ସମେତ ପର୍ଯ୍ୟଟନର ବିକାଶ ନିମନ୍ତେ ପର୍ଯ୍ୟାପ୍ତ ସୁଯୋଗ ରହିଛି, ହେଲେ ରାଜନୈତିକ ସ୍ଥାଣୁତା ଓ ପ୍ରଶାସନିକ ଅବହେଳା ଯୋଗୁଁ ଜିଲ୍ଲା ବିକାଶର ଆଗ ଧାଡିରେ ପହଞ୍ଚି ପାରୁନଥିବା ବେଳେ ଚର୍ଚ୍ଚାର ବିଷୟ ହୋଇଛି। ଏହା ସତ୍ତ୍ୱେ ଆଦିବାସୀ ବହୁଳ କୋରାପୁଟ ଜିଲ୍ଲା ପଦ୍ମଶ୍ରୀ କମଳା ପୂଜାରୀଙ୍କ ଦ୍ୱାରା ଜୈବିକ ପଦ୍ଧତିରେ ଧାନ ବିହନ ସଂରକ୍ଷଣ ଓ କୋଟପାଡ଼ର ପ୍ରସିଦ୍ଧ ବୁଣାକାର ପଦ୍ମଶ୍ରୀ ଗୋର୍ଦ୍ଧନ ପାନିକାଙ୍କୁ ନେଇ ଦେଶ ବିଦେଶରେ ସୁନାମ ଅର୍ଜନ କରିଛନ୍ତି।