ଜିଲ୍ଲାପାଳ ନିର୍ଦ୍ଧାରଣ କଲେ ଘରୋଇ ଆମ୍ବୁଲାନ୍ସ ଭଡ଼ା

କୋରାପୁଟ,ଏନ୍ଏନ୍ଏସ୍ : କରୋନା ସମୟରେ ପରିସ୍ଥିତିର ସୁଯୋଗ ନେଇ କେତେକ ଘରୋଇ ଆମ୍ବୁଲାନ୍ସ ଚାଳକ ଓ ମାଲିକ ରୋଗୀଙ୍କଠାରୁ ଅଧିକା ଭଡ଼ା ଆଦାୟ କରୁଥିବା ଅଭିଯୋଗ ପାଇବା ପରେ ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତର ଭଡ଼ା ନିର୍ଦ୍ଧାରଣ କରିଛନ୍ତି। ମାରୁତି ଓମିନି ଓ ଇକୋ ଆମ୍ବୁଲାନ୍ସ ଗାଡ଼ି ନିମନ୍ତେ ୧୦ କିମି ପର୍ଯ୍ୟନ୍ତ ୪୦୦ ଟଙ୍କା ଓ ୧୦ କିମିରୁ ଅଧିକ ହେଲେ କିମି ପିଛା ଅତିରିକ୍ତ ୧୨ ଟଙ୍କା ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ବୋଲେରୋ ଆମ୍ବୁଲାନ୍ସ ଗାଡ଼ି ନିମନ୍ତେ ୧୦ କିମି ପର୍ଯ୍ୟନ୍ତ ୫୦୦ ଟଙ୍କା ଓ ୧୦ କିମିରୁ ଅଧିକ ହେଲେ ଅତିରିକ୍ତ କିମି ପିଛା ୧୫ ଟଙ୍କା ନେବାକୁ କୁହାଯାଇଛି। ଆଉ ୱିଙ୍ଗର୍ ଓ ଫୋର୍ସ ଆମ୍ବୁଲାନ୍ସ ଗାଡ଼ି ନିମନ୍ତେ ୧୦ କିମି ପର୍ଯ୍ୟନ୍ତ ୬୦୦ଟଙ୍କା ଓ ୧୦ କିମିରୁ ଅଧିକ ହେଲେ ଅତିରିକ୍ତ କିମି ପିଛା ୧୮ ଟଙ୍କା ନେବାକୁ ନିର୍ଦ୍ଦେଶାନାମା ଜାରି ହୋଇଛି। ଜିଲ୍ଲା ପ୍ରଶାସନ ସ୍ଥିର କରିଥିବା ଭଡ଼ାଠାରୁ ଅଧିକ ଭଡ଼ା ଆଦାୟ କରାଗଲେ ଡ୍ରାଇଭର ଓ ଗାଡ଼ି ମାଲିକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ଦ୍ଦେଶାନାମାରେ ଉଲ୍ଲେଖ କରାଯାଇଛି।