ପଥୋତ୍ସବ ଓ ୱାକଥନ ମାଧ୍ୟମରେ ଭୋଟର ସଚେତନତା ପାଇଁ ଜିଲ୍ଲା ପ୍ରଶାସନର ପ୍ରୟାସ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଆଗାମୀ ୨୦୨୪ ନିର୍ବାଚନ ପରିପ୍ରେକ୍ଷୀରେ ଭୋଟର ତାଲିକାରେ ସଂଶୋଧନ ପାଇଁ ଭୋଟରଙ୍କୁ ସଚେତନ କରିବା ନିମନ୍ତେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶରେ ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟ ପକ୍ଷରୁ ଆଜି ପାଥୋତ୍ସବ ଓ ୱାକଥନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗତକାଲିଠାରୁ ଆରମ୍ଭ ହୋଇଥିବା ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆଗାମୀ ଡିସେମ୍ବର ୯ ତାରିଖ ଯାଏଁ ଚାଲୁ ରହିବା ସହ ୨୦୨୪ ଜାନୁଆରୀ ୫ ତାରିଖରେ ଚୂଡ଼ାନ୍ତ ପ୍ରକାଶ ପାଇବ । ଏହାପୂର୍ବରୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଭୋଟର ତାଲିକା ସଂଶୋଧନବାଦ ଓ ନୂତନ ଭୋଟର ପଞ୍ଜିକରଣ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ସଚେତନତା ଜାରି ରହିଛି । ଏହି ପରିପ୍ରେକ୍ଷୀରେ ଆଜି ସକାଳୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଦେବଗଡ଼ ପୌରାଞ୍ଚଳ ହାତୀଶାଳ ସାହିଠାରୁ ଏକ ସଚେତନତା ପଦଯାତ୍ରା ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଁଚିଥିଲା । ସେଠାରେ ପଥୋତ୍ସବ କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କୁ ସଚେତନ କରାଯିବା ସହ ବିଭିନ୍ନ ଅନୁଷ୍ଠାନ ଓ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ଝୋଟି, ଚିତ୍ରାଙ୍କନ ଓ ଭୋଟର ସମ୍ପର୍କିତ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସେହିପରି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଦିବ୍ୟାଙ୍ଗ ଭୋଟର ସହ ନୂତନ ଭୋଟର ଓ ବହୁ ଜନସାଧାରଣ ସାମିଲ ହୋଇଥିଲେ । ଶେଷରେ ଭୋଟର ସଚେତନତା ଉଦ୍ଦେଶ୍ୟରେ ଏକ କବି ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ ସବୁଜ ପତାକା ଦେଖାଇ ପଦଯାତ୍ରାର ଶୁଭାରମ୍ଭ କରିଥିବାବେଳେ ନିର୍ବାଚନ ଆୟୋଗ ପକ୍ଷରୁ ଭୋଟର ସଚେତନତା ନିମନ୍ତେ ପ୍ରସ୍ତୁତ କରାଯାଇଥିବା ଓଡ଼ିଆ ସଂଗୀତକୁ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଫିତା କାଟି ପରଦାରେ ପ୍ରଦର୍ଶିତ କରିଥିଲେ । ସାଧାରଣ ସଭାରେ ଅନ୍ୟମାନଙ୍କ ମଧ୍ୟରେ ବନଖଣ୍ଡ ଅଧିକାରୀ ମଗର ଧନଜୀ ରାଓସ, ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଧର୍ମାନନ୍ଦ ବେହେରା, ଅତିରିକ୍ତ ଏସପି ହେମନ୍ତ କୁମାର ପଣ୍ଡା ଓ ଉପଜିଲ୍ଲାପାଳ ପରୀକ୍ଷିତ ସାହୁ ପ୍ରମୁଖ ମଞ୍ଚାସିନ ରହି ନିଜ ନିଜ ବକ୍ତବ୍ୟ ମାଧ୍ୟମରେ ଉପସ୍ଥିତ ଜନସାଧାରଣଙ୍କୁ ଭୋଟର ତାଲିକା ସଂଶୋଧନର ଲାଭ ଉଠାଇବାକୁ ସଚେତନ କରିଥିଲେ ।