ଜିଲ୍ଲା ପୁଲିସ ପକ୍ଷରୁ ମେଟ୍ରିକ ଜିଲ୍ଲା ଟପ୍ପରଙ୍କ ସମେତ ଶ୍ରେଷ୍ଠ ଛାତ୍ରଛତ୍ରୀଙ୍କୁ ସମ୍ବର୍ଦ୍ଧନା

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଚଳିତ ବର୍ଷ ମେଟ୍ରିକ ପରିକ୍ଷାରେ ସର୍ବାଧିକ ନମ୍ବର ରଖି ଜିଲ୍ଲା ଟପ୍ପର ହୋଇଥିବା ଦେବଗଡ଼ ସରସ୍ୱତୀ ବିଦ୍ୟା ମନ୍ଦିର ଛାତ୍ର ଓମଶ୍ରୀ ଦେହୁରୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ଏଥିସହିତ ଏ୧ ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ର ପ୍ରତ୍ୟୁଷ ଗଡ଼ନାୟକ, ରିଆମାଳ ସରସ୍ୱତୀ ବିଦ୍ୟାମନ୍ଦିର ଛାତ୍ରୀ ରତ୍ନ ମଞ୍ଜରୀ ତ୍ରିପାଠୀ ଓ ସୋନାଲି ଦେହୁରୀଙ୍କୁ ମଧ୍ୟ ଜିଲ୍ଲା ପୁଲିସ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ସନ୍ଧ୍ୟାରେ ଜିଲ୍ଲା ପୁଲିସ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଏସପି ରାଜକିଶୋର ପାଇକରାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ପୁଲିସ ପକ୍ଷରୁ କୃତୀ ଛାତ୍ରଛାତ୍ରୀଙ୍କୁ ଏସପି ପୁଷ୍ପଗୁଚ୍ଛ ସହ ସ୍ମାରକୀ ଦେଇ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱ୍ୱଳ ଭବିଷ୍ୟତ କାମନା କରିଥିଲେ । ଏହି ଅବସରରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତ ଉଚ୍ଚ ଶିକ୍ଷା ଗ୍ରହଣ ସମୟରେ ସାମ୍ପ୍ରତିକ ଦେଖା ଦେଇଥିବା ରାଗିଂର ପ୍ରତିବାଦ କରିବାକୁ ପରାମର୍ଶ ଦେଇଥିଲେ । ସେହିପରି ଜିଲ୍ଲା ଟପ୍ପର ହୋଇଥିବା ଓମ୍ ଶ୍ରୀ ଦେହୁରୀଙ୍କ ପିତା ବିଜୟ ଦେହୁରୀ ଦେବଗଡ଼ ଆଦର୍ଶ ଥାନାରେ ଏଏସଆଇ ଭାବେ ଅବସ୍ଥାପିତ ଥିବାବେଳେ ପ୍ରତ୍ୟୁଷଙ୍କ ପିତା ଗୁଇନ୍ଦା ବିଭାଗରେ କନେଷ୍ଟବଳ ଭାବେ କାର୍ଯ୍ୟରତ ଥିବାରୁ ପୁଲିସ ପରିବାରର ଶିଶୁଙ୍କ ପାଇଁ ଜିଲ୍ଲା ପୁଲିସ ଗର୍ବିତ ଥିବା ଏସପି ଶ୍ରୀ ପାଇକରାୟ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଏସପି ଅଙ୍କୁର ମଲ୍ଲିକ, ଏସଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ର, ଦେବଗଡ଼ ଥାନାଧିକାରୀ ସୁରେନ୍ଦ୍ର କୁମାର ନାୟକଙ୍କ ସମେତ ସରସ୍ୱତୀ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଓ ଛାତ୍ରଛାତ୍ରୀଙ୍କ ଅଭିଭାବକ ଉପସ୍ଥିତ ଥିଲେ ।