ପାଟଣାଗଡ଼,ଏନ୍ଏନ୍ଏସ୍: ଏନଏସି ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ହେଲେ ଏନଏସି କାର୍ଯ୍ୟାଳୟ ପରିସରରେ ବିଜେଡି ସୁପ୍ରିମୋଙ୍କ ଫଟୋ ଲାଗିଛି । ଏନେଇ ରାଜନୈତିକ ଦଳମାନଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି ।
ସୂଚନାଯୋଗ୍ୟ, ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ମାତ୍ରେ ସମସ୍ତ ସରକାରୀ କାର୍ଯ୍ୟାଳୟ ତଥା ସର୍ବସାଧାରଣ ସ୍ଥାନରୁ ସରକାରୀ ବିଜ୍ଞାପନ ତଥା ହୋଡିଂ ଉଠାଇ ନେବାକୁ ନିର୍ଦ୍ଦେଶନାମା ରହିଥିଲେ ମଧ୍ୟ ସ୍ଥାନୀୟ ଏନଏସି କର୍ତୃପକ୍ଷ ହେବାକୁ ଖୋଲାଖୋଲି ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି । ଏନଏସି କାର୍ଯ୍ୟାଳୟ ପରିସର ମଧ୍ୟରେ ଥିବା ମୋ ସରକାର କକ୍ଷରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ୫ଟି ଫଟୋ ଏବଂ ବିଜ୍ଞାପନ ଲାଗିଛି । ଏନଏସି ବାରଣ୍ଡାରେ ନିର୍ମିତ ଅସ୍ଥାୟୀ କାର୍ଯ୍ୟାଳୟର ଉଭୟ ପାଶ୍ୱର୍ରେ ଲାଗିଥିବା ନବୀନଙ୍କ ଫଟୋ ଦେଖି ଉଭୟ କଂଗ୍ରେସ ଏବଂ ବିଜେପି ତୀବ୍ର ଅସନ୍ତୋଷ ପ୍ରକାଶ କରିଛି । ତେବେ ଏସମ୍ପର୍କରେ କାର୍ଯ୍ୟନିର୍ବାହୀ ଅଧିକାରୀ ଗୌରହରି ମହନ୍ତଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ଭୁଲବଶତଃ ଏହା ରହିଯାଇଥିବା ସେ ସ୍ୱୀକାର କରିବା ସହ ଖୁବଶୀଘ୍ର ତା’କୁ ହଟାଇ ଦିଆଯିବ ବୋଲି କହିଛନ୍ତି ।