ମୁନିଗୁଡ଼ା,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲାର ମୁନିଗୁଡ଼ା ସହରରେ ଟ୍ରାଫିକ ସମସ୍ୟାକୁ ନେଇ ବାଇପାସ ରାସ୍ତା ନିମନ୍ତେ ମୁନିଗୁଡ଼ାର ବିଭିନ୍ନ ସଂଗଠନ ପକ୍ଷରୁ ଦୀର୍ଘ ଦିନ ଧରି ଦାବୀ ହୋଇ ଆସୁଥିଲା । ଏହାସହ ଗତ ଜୁନ ୮ ତାରିଖରେ ୫ଟି ସଚିବ ଭିକେ.ପାଣ୍ଡିଆନଙ୍କ ବିଷମକଟକ ଗସ୍ତ ସମୟରେ ଏକ ଅଭିଯୋଗ ଶୁଣାଣୀରେ ମୁନିଗୁଡ଼ାର ସିଭିଲ ସୋସାଇଟି ଓ ମାର୍ଚ୍ଚେଣ୍ଟ ଆସୋସିଏସନଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବାଇପାସ ରାସ୍ତା ନିର୍ମାଣ ନିମନ୍ତେ ଏକ ଦାବୀପତ୍ର ପ୍ରଦାନ କରାଯାଇଥିଲା । ଏନେଇ ଆଜି ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ଉପେନ୍ଦ୍ର କାପ ଓ କନିଷ୍ଠ ଯନ୍ତ୍ରୀ ପ୍ରଶାନ୍ତ କୁମାର ସେଠୀ ମୁନିଗୁଡ଼ାରେ ପହଞ୍ଚି ସିଭିଲ ସୋସାଇଟିର ସିମାଞ୍ଚଳ ଦାସ, ରମେଶ ପାଣି, ସାମନାଥ କରକରିଆ, ରାତାନଲାଲ ଜୈନ, ପୂର୍ଣଚନ୍ଦ୍ର ଗୌଡ଼, କୈଳାସ ବେହେରା, ପିଙ୍କୁ ପାତ୍ର ଓ ଶ୍ୟାମଘନ ଗୌଡ଼ଙ୍କ ସମେତ ଅନ୍ୟ ସଦସ୍ୟ ଓ ମାର୍ଚ୍ଚେଣ୍ଟ ଆସୋସିଏସନର ସଭାପତି ଚିନ୍ତାମଣି ସାହୁ, ଉପସଭାପତି ପ୍ରଭାତ ପାଣିଗ୍ରାହୀ, ସମ୍ପାଦକ ବଳରାମ ନାୟକ, ରମନ ଜୈନ ଓ ରାଜେଶ ପାତ୍ର ପ୍ରମୁଖଙ୍କ ସହ ଆଲୋଚନା କରିଥିଲେ । ମୁନିଗୁଡ଼ାରେ ଏହି ବାଇପାସ ରାସ୍ତା ଶୀଘ୍ର ନିର୍ମାଣ ହେଲେ ମୁନିଗୁଡ଼ାରୁ ବହୁ ସଂଖ୍ୟାରେ ଟ୍ରାଫିକ ସମସ୍ୟା ଦୂର ହେବ ବୋଲି ଆଲୋଚନାରେ ଅନେକ ମତ ପ୍ରକାଶ କରିଥିଲେ । ବାଇପାସ ରାସ୍ତାଟି ମୁନିଗଡ଼ା ନିକଟସ୍ଥ ବାଞ୍ଜିକୁସୁମ ଛକଠାରୁ ଝାମରାଗୁଡ଼ା ପର୍ଯ୍ୟନ୍ତ ପ୍ରାୟ ୫ କିମି ଲମ୍ବା ହେବାକୁ ଥିବାବେଳେ ଏହାର ଟେଣ୍ଡର ପାଇଁ ସମସ୍ତ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିବା ସହ ଆନୁମାନିକ ପ୍ରାୟ ୫୦ କୋଟି ଟଙ୍କାର ହେବ ବୋଲି ଜଣାପଡ଼ିଛି । ଅନ୍ୟପଟେ ଶୀଘ୍ର ଏହି ବାଇପାସ ରାସ୍ତା ସହ ମୁନିଗୁଡ଼ାରେ ଏକ ଭୂତଳ ରାସ୍ତା ପାଇଁ ମଧ୍ୟ ସର୍ଭେ କରାଯାଇ ତା’ର ମଧ୍ୟ ପ୍ରକ୍ରିୟା ଆରମ୍ଭ କରି ଶୀଘ୍ର କାର୍ଯ୍ୟ କରିବାକୁ ମୁନିଗୁଡ଼ା ଅଞ୍ଚଳବାସୀ ଦାବୀ କରିଥିଲେ ।