କେସିଙ୍ଗା,ଏନ୍ଏନ୍ଏସ୍: ମଣିପୁରରେ ସର୍ବସାଧାରଣରେ ୨ଜଣ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲେଇବା ଘଟଣାର ଭିଡ଼ିଓ ଭାଇରାଲ ହେବା ପରଠାରୁ ଦେଶବାସୀଙ୍କ ମନରେ ଗଭୀର ଆଘାତ ହେବାସହ କ୍ରୋଧରେ ଫାଟି ପଡ଼ିଛନ୍ତି । ଏହି ପରିପ୍ରେକ୍ଷୀରେ ଅଲ ଓଡ଼ିଶା ସିଡ୍ୟୁଲକାଷ୍ଟ ଫେଡେରେସନ ଓ ଆଦିବାସୀ ବିକାଶ ପରିଷଦ ଦ୍ୱାରା ମଣିପୁର ଘଟଣାକୁ ନିନ୍ଦା କରି ମହିଳାଙ୍କୁ ସୁରକ୍ଷା, ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଓ ଫେଲ ହୋଇଥିବା ରାଜ୍ୟ ସରକାରଙ୍କୁ ବରଖାସ୍ତ କରି ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ପାଇଁ ଦାବୀ ନେଇ ଏକ ବିରାଟ ଶୋଭାଯାତ୍ରାରେ କଳାହାଣ୍ଡି ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରିଥିଲେ । ଏହାସହ ଜିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରିଥିଲେ । କେନ୍ଦ୍ର ଓ ରାଜ୍ୟ ସରକାର ସବୁ କ୍ଷେତ୍ରରେ ବିଫଳ ହୋଇଥିବାରୁ ଉଭୟ ସରକାର ତାଙ୍କର ନୈତିକତା ହରାଇଛନ୍ତି ବୋଲି ସିଡ୍ୟୁଲକାଷ୍ଟ ଫେଡେରେସନ ଓ ଆଦିବାସୀ ସଂଘ ପକ୍ଷରୁ ପ୍ରକାଶ କରାଯାଇଛି । ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ କଳାହାଣ୍ଡି ଜିଲ୍ଲା ସଭାପତି ସନ୍ତୋଷ ନାୟକ, କଳାହାଣ୍ଡି ଆଦିବାସୀ ସମାଜ ଜିଲ୍ଲା ସଭାପତି ପ୍ରକାଶ ମାଝୀ, କଳାହାଣ୍ଡି ଜିଲ୍ଲା ଅଲ ଓଡ଼ିଶା ସିଡ୍ୟୁଲକାଷ୍ଟ ଫେଡେରେସନ ଜିଲ୍ଲା ଉପଦେଷ୍ଟା ଗୋବର୍ଧନ ବାଗ, ବିଶ୍ୱନାଥ କର, ଏସ ସୁଜାତା, ଜିଲ୍ଲା ସଭାପତି ଶ୍ରୀବତ୍ସ ତାଣ୍ଡି, କାର୍ଯ୍ୟକାରୀ ସଭାପତି ଋଷିସୁଦାନ ଛତ୍ରପାଳ, ରମଣୀ ଦୁରିଆ, ଆଶିଷ ନାୟକ, ସୁନୀଲ ଚନ୍ଦ୍ର ଦୁରିଆ, ମହାସଚିବ ସୂର୍ଯ୍ୟ ନାରାୟଣ କୁମ୍ଭାର, ଜିଲ୍ଲା ମହିଳା ସେଲ ସଭାନେତ୍ରୀ ବିଜୟଲକ୍ଷ୍ମୀ ସ୍ୱର୍ଣ୍ଣ, ଭାରତ ମୁକ୍ତି ମୋର୍ଚ୍ଚା ଜିଲ୍ଲା ସଭାପତି ଲବ କରୁଆଁ, ମହାସଚିବ କମଳାକାନ୍ତ ଖରସେଲ, ଉପସଭାପତି ମାଧବ ସୁନାନୀ, ବହୁଜନ କ୍ରାନ୍ତି ମୋର୍ଚ୍ଚା ଜିଲ୍ଲା ସଂଯୋଜକ ସଞ୍ଜୟ ଶବର, ପଛୁଆ ବର୍ଗ ଜିଲ୍ଲା ସଭାପତି ଆଦିତ୍ୟ ହଂସ, ଭାରତ ମୁକ୍ତି ମୋର୍ଚ୍ଚା ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚା ସଭାନେତ୍ରୀ କମଳିନୀ ଯାଦବ, ଜିଲ୍ଲା ମୂଳନିବାସୀ ମହିଳା ସଭାନେତ୍ରୀ ଆଞ୍ଜୁ କୁମାର, ଭିମ ଆର୍ମି ଜିଲ୍ଲା ସଭାପତି ରଜନୀକାନ୍ତ ସମର୍ଲିଆଙ୍କ ସମେତ ବିଭିନ୍ନ ସଂଗଠନର ଲୋକେ ଆନ୍ଦୋଳନରେ ସାମିଲ ହୋଇଥିଲେ ।