ବିବାହ ବନ୍ଧନରେ ବାନ୍ଧି ହେଲେ ଦୁଇ ଦିବ୍ୟାଙ୍ଗ

ଚୌଦ୍ୱାର,ଏନ୍ଏନ୍ଏସ୍: ଦୃଷ୍ଟିଶକ୍ତି ନ ଥିଲେ ବି ସେମାନେ ନିଜ ମନର ମଣିଷକୁ ଠିକ୍ ଭାବେ ଚିହ୍ନି ପାରିଛନ୍ତି, ଆଉ ବୁଝି ବି ପାରିଛନ୍ତି। ସେଥିପାଇଁ ଉଭୟ ଦିବ୍ୟାଙ୍ଗ ହେଲେ ମଧ୍ୟ ପରସ୍ପରକୁ ଜୀବନସାଥୀ ଭାବେ ବାଛି ନେଇଛନ୍ତି। ଏଭଳି ଏକ ନିଆରା ମଣିଷ ଦୁଇଜଣଙ୍କର ମିଳନ ହୋଇଛି।

ଚୌଦ୍ୱାର ଥାନା ଅନ୍ତର୍ଗତ କୟଳପଡ଼ା ପଞ୍ଚାୟତ କୟଳପଡ଼ା ଗ୍ରାମର ସ୍ୱର୍ଗତ ଗତିକୃଷ୍ଣ ନାୟକଙ୍କ ମଝିଆଁ ପୁଅ ମୁନା ନାୟକ (୨୬) ଯେ କି ଜନ୍ମ ହେବାର ୫ବର୍ଷ ପରେ ହଠାତ୍ ଦୃଷ୍ଟି ଶକ୍ତି ହରାଇଥିଲେ।ପିତାମାତାଙ୍କୁ ହରାଇ ମାମୁ ଘରେ ରହି ପାଠ ପଢ଼ୁଥିଲେ। ତେବେ ପିଲାଦିନୁ ସେ ଭଲ ଗୀତ ଗାଇବା ସହ ଏବେ ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ କାହା ଉପରେ ନିର୍ଭର ନ କରି ନିଜେ ସ୍ୱାବଲମ୍ବୀ ଭାବେ କାମ କରି ନିଜ ଖର୍ଚ୍ଚ ନିଜେ ବହନ କରୁଥିବା ଜଣାପଡ଼ିଛି।

ସେହିପରି ଉକ୍ତ ପଂଚାୟତର ଶିିମିଳିହାଣ୍ଡ ଗ୍ରାମର ଦିବାକର ନାୟକଙ୍କ ଏକମାତ୍ର ଝିଅ ରିନୁ ନାୟକ (୨୩) ଯେ କି ଜନ୍ମରୁ ଦୃଷ୍ଟିହୀନ ହେବା ସହ କାହା ଉପରେ ନିର୍ଭର ନକରି ଘର କାମ ନିଜେ କରିବା ସହ ସମସ୍ତଙ୍କ ଭଲମନ୍ଦ ମଧ୍ୟ ବୁଝିଥାନ୍ତି। ତେବେ ଏମାନଙ୍କର ବିବାହ ସ୍ଥାନୀୟ ରାଧାମାଧବ ମନ୍ଦିର ପ୍ରାଙ୍ଗଣରେ ଉଭୟଙ୍କ ପରିବାର ଓ ସାଙ୍ଗସାଥୀଙ୍କ ଗହଣରେ ଅନୁଷ୍ଠିତ ହୋଇଛି।

ଟାଙ୍ଗୀ-ଚୌଦ୍ୱାର ବ୍ଲକର ଉପାଧ୍ୟକ୍ଷ ଜାନକୀ ପରିଡ଼ା ଉପସ୍ଥିତ ରହି ଏହି ବିବାହ କାର୍ଯ୍ୟ ସୂଚାରୁ ରୂପେ ସମ୍ପାଦନ କରିବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ପ୍ରକାଶଥାଉକି, ଟାଙ୍ଗୀ-ଚୌଦ୍ୱାର ଅଂଚଳର ସମାଜସେବୀ ପ୍ରଦୀପ କୁମାର ବିଶ୍ୱାଳ ଏହି ଦୁଇଜଣଙ୍କୁ ଅତୁଟ ବନ୍ଧନରେ ବାନ୍ଧିଥିବା ବେଳେ ଏହି ଦୁଇଜଣଙ୍କୁ ସରକାରୀ ସହାୟତା ପ୍ରଦାନ କରାଯିବା ସହ ଆର୍ଥିକ ସହାୟତା ପ୍ରଦାନ କରାଯାଉ ବୋଲି ଗ୍ରାମବାସୀ ନିବେଦନ କରିଛନ୍ତି।