ଅନଲାଇନ ମାଧ୍ୟମରେ ପରୀକ୍ଷା ଦାବି କଲେ ଡିଆଇଏଲ୍ଇଡି ଛାତ୍ରଛାତ୍ରୀ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଡିପ୍ଲୋମା ଇନ୍ ଏଲିମେଣ୍ଟାରୀ ଏଜୁକେଶନ(ଡିଆଇଏଲ୍ଇଡି) ଝାରସୁଗୁଡ଼ା ଜିଲ୍ଲାରେ ଅଧ୍ୟୟନ କରୁଥିବା ପ୍ରଥମ ଓ ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀମାନେ ଅନଲାଇନ ମାଧ୍ୟମରେ ପରୀକ୍ଷା କରିବା ସହ ପାଠ୍ୟକ୍ରମ ହ୍ରାସ କରିବା ପାଇଁ ଦାବି କରିଛନ୍ତି। ଜିଲ୍ଲା ଶିକ୍ଷା ଓ ପ୍ରତିଷ୍ଠାନ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଅଧା ପରୀକ୍ଷା ଅନଲାଇନ ଓ ଅଧା ଅଫଲାଇନରେ କରିବା ଦ୍ୱାରା ପରୀକ୍ଷାର୍ଥୀଙ୍କ ମଧ୍ୟରେ ଚାପ ସୃଷ୍ଟି ହେବ ବୋଲି ସେମାନେ କହିଛନ୍ତି। ଏହାସହ ପ୍ରଶ୍ନପତ୍ରର ଶୈଳୀରେ ମଧ୍ୟ ପରିବର୍ତ୍ତନ ହେଲେ ଛାତ୍ରଛାତ୍ରୀଙ୍କ ପାଇଁ ଅଧିକ ଜଟିଳ ହେବ। ଅନ୍ୟପଟେ ଅଫଲାଇନ ପରୀକ୍ଷା ହେବା ଦ୍ୱାରା ରାଜ୍ୟର ବିଭିନ୍ନ ଜିଲ୍ଲାର ଛାତ୍ରଛାତ୍ରୀମାନେ ନିଜ ନିଜ କେନ୍ଦ୍ରକୁ ଯିବା ପାଇଁ ବାଧ୍ୟ ହେବେ। ଏହାଦ୍ୱାରା କରୋନା ସଂକ୍ରମଣର ଆଶଙ୍କା ଦେଖାଦେବା ସହ ଛାତ୍ରଛାତ୍ରୀମାନଙ୍କୁ ଯାତାୟାତ, ଖାଦ୍ୟ ପାନୀୟ ତଥା ରହିବାରେ ବହୁ ସମସ୍ୟା ସୃଷ୍ଟି ହେବ। ତେଣୁ ଚଳିତ ବର୍ଷର ପରୀକ୍ଷାକୁ ଅନଲାଇନ ମାଧ୍ୟମରେ କରାଯାଉ ବୋଲି ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି।