ବୃଦ୍ଧାଙ୍କ ସନ୍ଦେହ ଜନକ ମୃତ୍ୟୁ, ତଦନ୍ତ ଜାରି

ରିଆମାଳ,ଏନ୍ଏନ୍ଏସ୍: ରିଆମାଳ ବ୍ଲକ୍ କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ବ୍ରାହ୍ମଣୀପାଲି ଗ୍ରାମରେ ଏକ ବୃଦ୍ଧା ନିଜ ବାସଗୃହରେ ମୃତ ଅବସ୍ଥାରେ ପଡିଥିବାବେଳେ ତାଙ୍କୁ ହତ୍ୟା ହୋଇଥିବା ନେଇ ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି। ସୂଚନା ଅନୁସାରେ ବ୍ରାହ୍ମଣୀପାଲି ଗ୍ରାମର ମୋହିନୀ ଦୀପ(୬୫)ଙ୍କ ଜ୍ୱାଇଁ ହାଡସଂହାର ଗ୍ରାମର କିଶୋର ଅଦାବର ଆଜି ସକାଳୁ ନିଜ ଶାଶୂ ମୋହିନୀଙ୍କୁ ଦେଖିବାକୁ ଆସିଥିଲେ। ଶାଶୂଙ୍କ ଘରର ଫାଟକରେ ତାଲା ପଡିଥିବା ଦେଖି କିଶୋର ନିଜ ଶାଶୂଙ୍କୁ ଖୋଜିଥିଲେ। ଶାଶୂଙ୍କୁ ନପାଇ କିଶୋର ଘରର କବାଟ ଖୋଲି ଭିତରକୁ ଯାଇଥିଲେ।

ଘର ଭିତରେ ନିଜ ଶାଶୂଙ୍କ ମୃତ ଦେହ ପଡିଥିବା ଦେଖି ଗ୍ରାମବାସୀଙ୍କୁ ଡାକି ଅବଗତ କରାଇଥିଲେ। ପରେ କୁଣ୍ଢେଇଗୋଳା ଥାନାକୁ ଖବର ଦେଇଥିଲେ। ମୃତ ମୋହିନୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ତାଙ୍କ ମୃତ ଶରୀର ଅର୍ଦ୍ଧଲଗ୍ନ ଅବସ୍ଥାରେ ପଡ଼ିଥିବା ଜଣାପଡ଼ିଛି। ଥାନା ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରିବା ସହିତ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଅଛି। ଶୀଘ୍ର ତଦନ୍ତ କରି ଉଚ୍ଚିତ ପଦକ୍ଷେପ ନିଆଯିବ ବୋଲି କୁଣ୍ଢେଇଗୋଳା ଥାନା ଅଧିକାରୀ ନିରୁପମା ଜେନା ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।