ଭାରତୀୟ ଟିମ୍‌ରେ ୮ ମାସରେ ୬ ଅଧିନାୟକ; ରାହୁଲ ଦ୍ରାବିଡ଼ କହିଲେ- କେବେ ଭାବି ନଥିଲି ଏମିତି ହେବ

ନୂଆଦିଲ୍ଲୀ,ଏଜେନ୍ସି: ଭାରତୀୟ କ୍ରିକେଟ ଟିମ୍‌ର ମୁଖ୍ୟ କୋଚ ରାହୁଲ ଦ୍ରାବିଡ଼ କହିଛନ୍ତି ଯେ, ସେ ୮ ମାସ ଭିତରେ ସବୁ ପ୍ରାରୂପରେ ୬ ଜଣ ଅଧିନାୟକଙ୍କ ସହିତ କାମ କରିଛନ୍ତି। ରାହୁଲ ଦ୍ରାବିଡ ଟି-୨୦ ବିଶ୍ୱକପ ପରେ ଗତ ନଭେମ୍ବର ମାସରେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ ଦାୟିତ୍ୱ ନେଇଥିଲେ। ଏହା ପରେ କୋଭିଡ-୧୯ ସଂପର୍କିତ ‘ବବଲ ବ୍ରେକ’ ଓ ଆହତ କାରଣରୁ ବ୍ରେକ୍ କାରଣରୁ ରାଷ୍ଟ୍ରୀୟ ଅଧିନାୟକ ଭାବେ ବିରାଟ କୋହଲି, ରୋହିତ ଶର୍ମା, ଶିଖର ଧୱନ, ଲୋକେଶ ରାହୁଲ, ଋଷଭ ପନ୍ତ ଓ ହାର୍ଦ୍ଦିକ ପାଣ୍ଡ୍ୟା (ଆୟରଲାଣ୍ଡରେ ନେତୃତ୍ୱ ନେବେ) ଦାୟିତ୍ୱ ନେଇଛନ୍ତି।

ଦକ୍ଷିଣ ଆଫ୍ରିକା ବିପକ୍ଷ ୫ମ ଟି-୨୦ ମ୍ୟାଚ୍‌ ପୂର୍ବରୁ ରବିବାର ରାହୁଲ ଦ୍ରାବିଡ଼ କହିଥିଲେ, ଆମେ ୮ ମାସ ଭିତରେ ୬ ଜଣ ଅଧିନାୟକଙ୍କୁ ପଡ଼ିଆକୁ ଓହ୍ଲାଇଛୁ। ବାସ୍ତବରେ ଏହା ଯୋଜନା ନଥିଲା। ଦ୍ରାବିଡ କହିଛନ୍ତି ଯେ, ପରିସ୍ଥିତି କାରଣରୁ ଏମତି ହୋଇଥାଏ। କିନ୍ତୁ ଜୀବନରେ ଏଭଳି ହେବ ବୋଲି କେବେ ଭାବିନଥିଲି।

ଅନ୍ୟପଟରେ କୋଭିଡ-୧୯ କାରଣରୁ ମୋତେ କିଛି ଲୋକଙ୍କ ସହିତ କାମ କରିବାକୁ ପଡ଼ିଛି, ଯାହାକି ସ୍ମରଣୀୟ। ଅନେକ ଖେଳାଳିଙ୍କୁ ଟିମ୍‌ର ନେତୃତ୍ୱ ନେବାରେ ସୁଯୋଗ ମିଳିଛି। ଆମକୁ ଗ୍ରୁପରେ ଅଧିନାୟକ ପ୍ରସ୍ତୁତ କରିବାର ସୁଯୋଗ ମଧ୍ୟ ମିଳିଛି। ଦକ୍ଷିଣ ଆଫ୍ରିକାରେ ଟେଷ୍ଟ ଓ ଦିନିକିଆ ଶୃଙ୍ଖଳା ହରାଇବା ନୈରାଶ୍ୟଜନକ ଥିଲା। ତେଣୁ ଟିମ୍ ସବୁ ଦିଗରେ ଭଲ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛି।