ଫସଲ ବୀମା ଓ ମରୁଡ଼ି ସହାୟତା ଦାବିରେ ତହସିଲ କାର୍ଯ୍ୟାଳୟ ଘେରାଉ

ସଇଁନ୍ତଲା,ଏନ୍‌ଏନ୍‌ଏସ୍‌: ଫସଲବୀମା ଓ ମରୁଡ଼ି ସହାୟତା ରାଶିରୁ ବଞ୍ଚିତ ହୋଇଥିବା ନେଇ ସଇଁନ୍ତଲା ବ୍ଲକ କଂଗ୍ରେସ ସଭାପତି ତଥା ବ୍ଲକ ଉପାଧ୍ୟକ୍ଷ ଗୁଣ ସାଗର ମାଝୀଙ୍କ ନେତୃତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । କଂଗ୍ରେସର ବରିଷ୍ଠ ନେତା ସୁରେନ୍ଦ୍ର ସିଂ ଭୋଇଙ୍କ ଅଧ୍ୟକ୍ଷତାରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଘେରାଉ କରାଯାଇଥିଲା । ଟିଟିଲାଗଡ଼ ସୋସିଆଲ ମିଡିଆ ସଂଯୋଜକ ସୁବ୍ରତ ବେହେରା ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ବ୍ଲକ କୃଷକ ସଂଗଠନ ସଭାପତି ସତ୍ୟ ନାରାୟଣ ପଣ୍ଡା, ଜୁରାବନ୍ଦ ସରପଞ୍ଚ କରିସ୍ମା ନନ୍ଦ, ଭନ୍ଦ୍ରା ସରପଞ୍ଚ ରାଜେନ୍ଦ୍ର ଯାନୀ, ସଇଁନ୍ତଲା ଜିଲ୍ଲା ପରିଷଦ ପ୍ରମୋଦ ଭୋଇ ଓ ଉତ୍ତମ ପଟେଲଙ୍କ ସମେତ ଶତାଧିକ ଚାଷୀ ଉପସ୍ଥିତ ଥିଲେ । ଏହି ଅବସରରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସଇଁନ୍ତଲା ତହସିଲଦାର ସୁରେନ୍ଦ୍ର ମେହେରଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏଥିରେ ମରୁଡ଼ି କ୍ଷତିଗ୍ରସ୍ତ ଚାଷୀଙ୍କୁ ୨୦୨୧ ବର୍ଷର ଫସଲବୀମା, ମରୁଡ଼ି ସହାୟତା ରାଶି ପ୍ରଦାନ, ମରୁଡ଼ି ସ୍ଥାୟୀ ସମାଧାନ ପାଇଁ ତେଲ ନଦୀ ଓ ମରୁଡ଼ି ପ୍ରପୀଡ଼ିତ ଚାଷୀଙ୍କୁ ମାଗଣାରେ ବିହନ ସାର ଯୋଗାଇ ଦେବା ସହ ତହସିଲଦାର ଶ୍ରୀଯୁକ୍ତ ମେହେରଙ୍କ ବଦଳି ଦାବି ଉଲ୍ଲେଖ କରାଯାଇଛି । ଶେଷରେ ଶିଷକେଲା ସମିତି ସଭ୍ୟ ଉମାକାନ୍ତ ରଣା ଧନ୍ୟବାଦ ଦେଇଥିଲେ ।