ମହାରାଷ୍ଟ୍ରର ସାଙ୍ଗଲୀରୁ ଗୋଟିଏ ପରିବାରର ୯ଜଣଙ୍କ ଶବ ଉଦ୍ଧାର

ସାଙ୍ଗଲୀ: ମହାରାଷ୍ଟ୍ରର ସାଙ୍ଗଲୀରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ସାଙ୍ଗଲୀର ମିରାଜସ୍ଥିତ ଅମ୍ବିକାନଗରରେ ଏକ ଘର ଭିତରୁ ୯ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକମାନେ ହେଲେ ପୋପଟ ବନମୋରେ(୫୨), ସଙ୍ଗୀତା ପୋପଟ ବନମୋରେ(୪୮), ଅର୍ଚ୍ଚନା ପୋପଟ ବନମୋରେ(୩୦), ଶୁଭମ ପୋପଟ ବନମୋରେ(୨୮) ମାଣିକ ୟଲ୍ଲାପ୍ପା ବନମୋରେ(୪୯), ରେଖା ମାଣିକ ବନମୋରେ(୪୫), ଆଦିତ୍ୟ ମାଣିକ ବନମୋରେ(୧୫), ଅନିତା ମାଣିକ ବନମୋରେ(୨୮) ଓ ଅକ୍କାତାଇ ବନମୋରେ(୭୨) ।

ପ୍ରାଥମିକ ତଦନ୍ତରୁ କାହାରି ଶରୀରରେ କୌଣସି କ୍ଷତ ଚିହ୍ନ ନଥିବା ଜଣାପଡ଼ିଛି । ମାଣିକ ବନମୋରେ ଓ ପୋପଟ ବନମୋରେ ନାମକ ୨ ଭାଇଙ୍କ ପୁରା ପରିବାର ଋଣ ପାଇଁ ସାମୂହିକ ଭାବେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ପୁଲିସକୁ ବର୍ତ୍ତମାନ ସୁଦ୍ଧା ଘଟଣାସ୍ଥଳରୁ କୌଣସି ସୁଇସାଇଡ ନୋଟ ମିଳିନାହିଁ । ଏନେଇ ସୂଚନା ମିଳିବା ପରେ ସହରର ଏସପି ଓ ଆଇଜି ଘଟଣାସ୍ଥଳରେ ପହଂଚିଥିଲେ । ସଙ୍ଗାଲୀ ପୁଲିସ ଯାଞ୍ଚ ପାଇଁ ଫରେନସିକ ଟିମକୁ ଡକାଇଛି । ଏଥିସହିତ ଆଖପାଖ ଲୋକଙ୍କୁ ମଧ୍ୟ ପଚରାଉଚୁରା ଜାରି ରହିଛି ।