ଜଗଦଦଲପୁର ପଞ୍ଚାୟତରେ ଦିବ୍ୟ ଅର୍ପଣ ରଥ

ମୁନିଗୁଡ଼ା,ଏନ୍‌ଏନ୍‌ଏସ୍‌: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ ଅନ୍ତର୍ଗତ ଜଗଦଲପୁର ପଞ୍ଚାୟତ ପରିସରରୁ ଆଜି ଏକ ଭବ୍ୟ ଓ ଦିବ୍ୟ ଅର୍ପଣ ରଥ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାର ପ୍ରସାର ଓ ପବିତ୍ର ଅକ୍ଷତ ସଂଗ୍ରହ ନିମନ୍ତେ ଯାତ୍ରାର ଶୁଭାରମ୍ଭ କରିଛି । ନୋଡାଲ ଅଫିସର, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ପାତ୍ର ଓ ଗ୍ରାମ ରୋଜଗାର ସେବକ ମଧୁସୂଦନ ପଲକିଆଙ୍କ ମିଳିତ ସଂଯୋଜନାରେ ମୁଖ୍ୟଅତିଥି ଭାବେ ଜଗଦଲପୁର ସରପଞ୍ଚ ରମେଶ ବାରିଆକା ଉପସ୍ଥିତ ରହି ସବୁଜ ପତାକା ଦେଖାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ ସମିତି ସଭ୍ୟା ଭାରନ୍ତି କୁଶୁଲୁଆ ଓ ନାଏବ ସରପଞ୍ଚ ନାନକି କରକରିଆ ଉପସ୍ଥିତ ରହି ଅର୍ପଣ ରଥ ପଞ୍ଚାୟତର ପ୍ରତି ଗ୍ରାମ ପରିକ୍ରମା କରିବା ପାଇଁ ପାଛୋଟି ନେଇଥିଲେ । ଜଗଦଲପୁର କୀର୍ତ୍ତନ ମଣ୍ଡଳୀ ଏହି ଦିବ୍ୟ ରଥଯାତ୍ରାରେ ଶ୍ରୀଜଗନ୍ନାଥ ଭଜନ କୀର୍ତ୍ତନ କରି ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲେ । ଅଞ୍ଚଳବାସୀଙ୍କ ଜୟ ଜଗନ୍ନାଥ ଧ୍ୱନିରେ ରଥ ଯାତ୍ରା ଆଗକୁ ବଢ଼ି ଚାଲିଥିଲା । ଏହି ଯାତ୍ରା ଜଗଦଲପୁରର ପ୍ରତି ଗ୍ରାମକୁ ଯାଇ ଅକ୍ଷତ ଗୁଆ ଓ ଦୁବ ସଂଗ୍ରହ କରି ସେସବୁକୁ ସ୍ଥାନୀୟ ରାଧାକୃଷ୍ଣ ମନ୍ଦିରରେ ରଖିଥିଲେ । ପରେ ବ୍ଲକକୁ ଅଣାଯାଇ ସେଠାରୁ ପୁରୀକୁ ପ୍ରେରଣ କରାଯିବ ବୋଲି ପିଇଓ କୈଳାଶ ଚନ୍ଦ୍ର ପାତ୍ର କହିଛନ୍ତି । ଏମ୍ବିକେ ସୁବାସିନି ପାତ୍ର, ସିଆରପି, ମିଶନ ଶକ୍ତି, ଏସଏସଜି ମା’ ଓ ୱାର୍ଡ ମେମ୍ବରମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।