ଢେଙ୍କାନାଳ ସଦାଶିବପୁରରେ ତୈଳ ଟର୍ମିନାଲର ଭୂମିପୂଜନ; ଶିଳ୍ପାୟନର ଅଭିବୃଦ୍ଧିରେ ବଡ଼ ଭୂମିକା ନେବ: ଧର୍ମେନ୍ଦ୍ର

ଭୁବନେଶ୍ୱର,ଢେଙ୍କାନାଳ,ଏନ୍‌ଏନ୍‌ଏସ୍‌: ଢେଙ୍କାନାଳ ଜିଲ୍ଲା ତେନ୍ତୁଳିପଡ଼ାର ସଦାଶିବପୁର ଠାରେ “କମନ୍ ୟୁଜର୍ ପେଟ୍ରୋଲିୟମ ଫାସିଲିଟି’ରେ ନିର୍ମାଣ ହେବାକୁ ଥିବା ତୈଳ ଟର୍ମିନାଲର ଶନିବାର ଭୂମିପୂଜନ ହୋଇଛି। ଏହି ଅବସରରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ଆଗାମୀ ୩୦ ରୁ ୪୦ ବର୍ଷ ପର୍ଯ୍ୟନ୍ତ ଢେଙ୍କାନାଳରେ ବଢ଼ୁଥିବା ଶିଳ୍ପାୟନରେ ଏହି ଟର୍ମିନାଲ ବଡ଼ ଭୂମିକା ନେବା ସହ ଅନୁଗୁଳ, ଦେବଗଡ଼, କେନ୍ଦୁଝର ଓ ପଶ୍ଚିମ ଓଡ଼ିଶାରେ ମଧ୍ୟ ପେଟ୍ରୋଲିୟମ ସାମଗ୍ରୀର ଚାହିଦାକୁ ପୂରଣ କରିବ ବୋଲି କହିଛନ୍ତି। ସେହିପରି ପାରାଦୀପ ଧାମରାରୁ ତାଳଚେର ପର୍ଯ୍ୟନ୍ତ ଜଳପଥ ହେବ ଏବଂ ଏହି ପଥରେ ଷ୍ଟିମର ଚାଲିବା ନେଇ ମଧ୍ୟ ଭାରତ ସରକାରଙ୍କ ଯୋଜନା ରହିଥିବା ଶ୍ରୀ ପ୍ରଧାନ କହିଛନ୍ତି।

ଏହି ଭୂମିପୂଜନ କାର୍ଯ୍ୟକ୍ରମରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ କ୍ୟାବିନେଟ୍ ମନ୍ତ୍ରୀ ହରଦୀପ ସିଂ ପୁରୀ ଭିଡିଓ କନଫରେନ୍ସିଂରେ ଉପସ୍ଥିତ ରହିଥିବା ବେଳେ ରାଷ୍ଟ୍ରମନ୍ତ୍ରୀ ରାମେଶ୍ୱର ତେଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ସହ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ। ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ସ୍ୱଚ୍ଛ ଇନ୍ଧନକୁ ପ୍ରୋତ୍ସାହନ ଦେବା ପାଇଁ ବିପୁଳ ପୁଞ୍ଜିନିବେଶ କରୁଛନ୍ତି। ଢେଙ୍କାନାଳ, ଅନୁଗୁଳ, ଦେବଗଡ଼, କେନ୍ଦୁଝର ଆଦି ଜିଲ୍ଲା ଖଣିଜ ପଦାର୍ଥରେ ପରିପୂର୍ଣ୍ଣ। ଏହାସହ ଷ୍ଟିଲ୍‌, ଆଲୁମିନିୟମ, ବିଦ୍ୟୁତ୍ ଉତ୍ପାଦନ ସଂସ୍ଥା ଯଥା ଟାଟା ଷ୍ଟିଲ, ନାଲକୋ, ଜିନ୍ଦଲ ଇଣ୍ଡିଆ ଥର୍ମାଲ ପ୍ଲାଣ୍ଟ୍ ଏବଂ ଏନ୍‌ଟିପିସି ଭଳି ବଡ଼ ଶିଳ୍ପ କମ୍ପାନୀ ଏଠାରେ ପ୍ରତିଷ୍ଠିତ ଅଛନ୍ତି। ଏହାକୁ ଦୃଷ୍ଟିରେ ରଖି ଅପାର ସମ୍ଭାବନାର ଅଞ୍ଚଳ ଅବିଭକ୍ତ ଢେଙ୍କାନାଳ ଜିଲ୍ଲାକୁ ଅଗ୍ରଣୀ ଅଞ୍ଚଳ କରିବା ଲକ୍ଷ୍ୟରେ ଏହି ପ୍ରକଳ୍ପ ନିର୍ମାଣ କରାଯାଉଛି। ଆଗାମୀ ୨ ବର୍ଷ ମଧ୍ୟରେ ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ଶିଳ୍ପ କମ୍ପାନୀ ଦ୍ୱାରା ପରିବହନ ହେଉଥିବା ଟ୍ରକ ଗୁଡ଼ିକ ବିଭିନ୍ନ ଷ୍ଟେସନରୁ ପେଟ୍ରୋଲିୟମଜାତ ସାମଗ୍ରୀ ଏବଂ ଇଥାନଲ, ଏଲ୍‌ଏନ୍‌ଜି ନେବାରେ ସହଜ ହେବ। ଏହାବ୍ୟତିତ ଢେଙ୍କାନାଳ ଏବଂ ଅନୁଗୁଳ ହାଇଡ୍ରୋଜେନ୍ ଆଧାରିତ ଅର୍ଥନୈତିକ ପେଣ୍ଠସ୍ଥଳି ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ “ପୂର୍ବୋଦୟ” କଳ୍ପନାରେ ବିପିସିଏଲ ନେତୃତ୍ୱରେ ହେବାକୁ ଥିବା ଏହି ୩୯୫ କୋଟି ଟଙ୍କାର ପ୍ରକଳ୍ପ ୩ଟି ତୈଳ ବିପଣନ କମ୍ପାନୀ ଯଥା ଇଣ୍ଡିଆନ ଅଏଲ, ବିପିସିଏଲ, ଏଚପିସିଏଲ ବ୍ୟବହାର କରିବେ। ଏଠାରେ ଅତ୍ୟାଧୁନିକ ଜ୍ଞାନକୌଶଳରେ ୪୨ ହଜାର କିଲୋ ଲିଟର କ୍ଷମତା ବିଶିଷ୍ଟ ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ଷ୍ଟୋରେଜ୍ ଡ଼ିପୋ ବା ତୈଳ ଟର୍ମିନାଲ ନିର୍ମାଣ କରାଯିବ। ୫୦ ଏକର ପରିମିତ ଜମିରେ ନିର୍ମାଣ ହେବାକୁ ଥିବା ଏହି ତୈଳ ଡିପୋରେ ପେଟ୍ରୋଲ, ଡ଼ିଜେଲ, ଇଥାନଲ ଏବଂ ବାୟୋ ଡିଜେଲ ସଂରକ୍ଷିତ ରଖାଯିବା ସହ ଆଖପାଖ ଜିଲ୍ଲାକୁ ଯୋଗାଣ ହେବ ଏହି ପ୍ରକଳ୍ପ ନିର୍ମାଣ ହେବା ଦ୍ୱାରା ପାଖାପାଖି ୨ ଲକ୍ଷ ମାନବ ଦିବସର ରୋଜଗାର ସୃଷ୍ଟି ହେବ।

ବର୍ତ୍ତମାନ ବିପିସିଏଲ ଦ୍ୱାରା ୧୬୦୦ କୋଟି ଟଙ୍କା ବ୍ୟୟରେ ବରଗଡ଼ ଜିଲ୍ଲାରେ ଭାରତର ପ୍ରଥମ ୨ଜି ଇଥାନଲ୍ ବାୟୋ ରିଫାଇନାରୀ ପ୍ଲାଣ୍ଟ୍ ନିର୍ମାଣ କରାଯାଉଛି। ଏଠାରେ ଦୈନିକ ୪୦୦ ମେଟ୍ରିକ୍ ଟନ ଜୈବିକ ବସ୍ତୁରୁ ଦୈନିକ ୨୦୦ କିଲୋ ଲିଟର ଇଥାନଲ ଉତ୍ପାଦନ କରାଯିବ। ଏହା ୨୦୨୩ ମାର୍ଚ୍ଚ ସୁଦ୍ଧା ସମ୍ପୂର୍ଣ୍ଣ କରିବାର ଲକ୍ଷ୍ୟ ରଖାଯାଇଛି। ଏବେ ଭାରତ ଆମେରିକା ଏବଂ ଚୀନ ପରେ ତୃତୀୟ ଉର୍ଜା ବ୍ୟବହାରକାରୀ ରାଷ୍ଟ୍ର। ୨୦୩୦ ସୁଦ୍ଧା ଭାରତ ବିଶ୍ୱରେ ଉର୍ଜା ବ୍ୟବହାରରେ ଶୀର୍ଷ ସ୍ଥାନରେ ରହିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ଏହି କାର୍ଯକ୍ରମରେ ଢେଙ୍କାନାଳ ସାଂସଦ ମହେଶ ସାହୁ, ହିନ୍ଦୋଳ ବିଧାୟକା ସୀମାରାଣୀ ନାୟକ, ବିପିସିଏଲର ଚେୟାରମ୍ୟାନ ଏବଂ ମ୍ୟାନେଜିଙ୍ଗ୍ ଡାଇରେକ୍ଟର କେ. ପଦ୍ମାକର, ବିପିସିଲର ମାର୍କେଟିଂ ଡାଇରେକ୍ଟର ଅରୁଣ କୁମାର ସିଂହ ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ।