ପଶ୍ଚିମବଙ୍ଗ ନିର୍ବାଚନ : ୩ ଦିନିଆ ପ୍ରଚାରରେ ଧର୍ମେନ୍ଦ୍ର

କୋଲକାତା / ଭୁବନେଶ୍ୱର, ଏନ୍ଏନ୍ଏସ୍: ୩ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ନନ୍ଦିଗ୍ରାମ ଏବଂ ହଳଦିଆ ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରଚାର ଆରମ୍ଭ କରିଛନ୍ତି। ଏହି ଅବସରରେ ନନ୍ଦିଗ୍ରାମ ବିଧାନସଭା ନିର୍ବାଚନମଣ୍ଡଳୀପାଇଁ ପ୍ରାର୍ଥୀ ହୋଇଥିବା ଶୁଭେନ୍ଦୁ ଅଧିକାରୀଙ୍କ ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ଆୟୋଜିତ ହୋଇଥିବା ବିଶାଳ ଶୋଭାଯାତ୍ରାରେ ସେ ଯୋଗଦେଇଥିଲେ। ସଭାରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି, ଭାରତ ସରକାର ଚାହୁଁଛନ୍ତି ପଶ୍ଚିମବଙ୍ଗର ପରିବର୍ତ୍ତନ ହଳଦିଆ, ନନ୍ଦିଗ୍ରାମ ଓ ପୂର୍ବ ମେଦିନାପୁରରୁ ଆରମ୍ଭ ହେଉ। ଏହି ନାମାଙ୍କନ ଶୋଭାଯାତ୍ରାରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନି ମଧ୍ୟ ଉପସ୍ଥିତ ଥିଲେ। ହଳଦିଆଠାରେ ବିଜେପିର ନନ୍ଦିଗ୍ରାମ ବିଧାନସଭା ନିର୍ବାଚନମଣ୍ଡଳୀର ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ ଓ ହଳଦିଆ ବିଧାନସଭା ନିର୍ବାଚନମଣ୍ଡଳୀର ପ୍ରାର୍ଥିନୀ ତାପଶୀ ମଣ୍ଡଳ ପାଇଁ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧନକରି ଶ୍ରୀ ପ୍ରଧାନ କହିଛନ୍ତି ୯୧ ବର୍ଷ ପୂର୍ବେ ଆଜିର ଦିନରେ ମହାତ୍ମା ଗାନ୍ଧୀ ବ୍ରିଟିଶ ଶାସନ ଓ ତାଙ୍କ ନୀତି ବିରୋଧରେ ସାବରମତୀ ଆଶ୍ରମରୁ ଆରମ୍ଭକରି ଦାଣ୍ଡିପର୍ଯ୍ୟନ୍ତ ଲବଣ ସତ୍ୟାଗ୍ରହ ଆରମ୍ଭ କରିଥିଲେ।

ଏହି ଐତିହାସିକ ଦିନକୁ ମନେ ପକାଇ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ‘ଅମୃତ ମହୋତ୍ସବ’ର ଶୁଭାରମ୍ଭ କରିଛନ୍ତି। ଆଜି ପଶ୍ଚିମବଙ୍ଗରେ ମଧ୍ୟ ପରିବର୍ତ୍ତନର ଯାତ୍ରା ଆରମ୍ଭ ହୋଇଛି। ରାଜ୍ୟର ଜନସାଧାରଣ ଭୟ, ଭ୍ରଷ୍ଟାଚାର, କୁଶାସନ,  ଟୋଲବାଜୀ, ଗୁଣ୍ଡାଗର୍ଦୀ ବିରୋଧରେ ନିର୍ଣ୍ଣାୟକ ଲଢେଇ ପାଇଁ ମନ ବନେଇ ସାରିଛନ୍ତି। ପଶ୍ଚିମବଙ୍ଗର ହଳଦିଆରେ ଯୁବକମାନଙ୍କ ପାଇଁ ରୋଜଗାରର ଅପାର ସମ୍ଭାବନା ଥିଲେ ମଧ୍ୟ ରୋଜଗାର ମିଳୁନଥିବା ଶ୍ରୀ ପ୍ରଧାନ କହିଛନ୍ତି। ଦୀର୍ଘ ଦଶବର୍ଷ ଧରି ମମତା ବାନାର୍ଜୀ ପଶ୍ଚିମବଙ୍ଗର ଶାସନ ବ୍ୟବସ୍ଥାରେ ଥିଲେ ମଧ୍ୟ ଲୋକେ ସୁଶାସନ ଓ ରୋଜଗାରୁ ବଞ୍ଚିତ ଅଛନ୍ତି। ସେଥିପାଇଁ ପଶ୍ଚିମବଙ୍ଗର ଜନସାଧାରଣ ଭାରତୀୟ ଜନତା ପାର୍ଟି ଉପରେ ଆସ୍ଥା ପ୍ରକଟକରିବା ପାଇଁ ନିର୍ଣ୍ଣୟ କରିସାରିଥିବା ଶ୍ରୀ ପ୍ରଧାନ ନିଜ ଅଭିଭାଷରରେ ଉଲ୍ଲେଖ କରିଛନ୍ତି। ପଶ୍ଚିମବଙ୍ଗ ଗସ୍ତ ଅବସରରେ ଶ୍ରୀ ପ୍ରଧାନ ତାମଲୁକ ଠାରେ ସ୍ୱାଧୀନତା ସଂଗ୍ରାମର ଅମର ନାୟିକା ମାତାଙ୍ଗିନୀ ହାଜରାଙ୍କ ସ୍ମୃତିସ୍ଥଳ ଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।