ଏପ୍ରିଲରୁ ଗଡ଼ିବ ପାସେଞ୍ଜର ଟ୍ରେନ୍

ଭୁବନେଶ୍ୱର,ଏନ୍ଏନ୍ଏସ୍: ଏପ୍ରିଲ ମାସ ଆରମ୍ଭରୁ ରାଜ୍ୟରେ ରେଳ ଚଳାଚଳ ସ୍ୱାଭାବିକ ହେବ। ଏନେଇ ପୂର୍ବତଟ ରେଳପଥର ବିଶ୍ୱସ୍ଥ ସୂତ୍ରରୁ ସୂଚନା ମିଳିଛି। କରୋନା ପାଇଁ ରାଜ୍ୟ ସମେତ ଦେଶରେ ରେଳ ଚଳାଚଳ ବାଧା ସୃଷ୍ଟି ହୋଇଛି। ସ୍ୱତନ୍ତ୍ର ଟ୍ରେନ୍ ଚାଲୁଥିବାବେଳେ, ସମସ୍ତ ପାସେଞ୍ଜର ଟ୍ରେନକୁ ବାତିଲ କରି ଦିଆଯାଇଛି। ତେବେ କରୋନା ସଂକ୍ରମଣରେ ନିୟନ୍ତ୍ରଣ ଆସିବାରୁ ଆସନ୍ତା ମାସରେ ପାସେଞ୍ଜର ଟ୍ରେନ୍ ଗୁଡ଼ିକୁ ଚଳାଇବାକୁ ନିଷ୍ପତି ନିଆଯାଇଥିବା ଜଣାପଡ଼ିଛି। କେଉଁ ଟ୍ରେନ୍, କେବେ ଆରମ୍ଭ ହେବ ସେ ସମ୍ପର୍କରେ ପୂର୍ବତଟ ରେଳବାଇ ପକ୍ଷରୁ ଆଗାମୀ ଦିନରେ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସୂଚନା ମିଳିଛି।
ରାଜ୍ୟରେ ପାସେଞ୍ଜର ଟ୍ରେନ୍ ଚଳାଚଳ ନହେବାରୁ ଯାତ୍ରୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଖାସ୍ କରି ରାଜଧାନୀକୁ ବିଭିନ୍ନ ଅଞ୍ଚଳରୁ ଲୋକମାନେ ଟ୍ରେନ୍ ଯୋଗେ ଆସିଥାନ୍ତି। ଏମିତିକ କଲେଜ ଛାତ୍ରଛାତ୍ରୀ ପାସେଞ୍ଜର ଟ୍ରେନ୍ ଉପରେ ନିର୍ଭର କରନ୍ତି। ଟ୍ରେନ୍ ଚାଲୁନଥିବା ଯୋଗୁ ସେମାନେ ଯିବା ଆସିବା କରିବାରେ ଅସୁବିଧା ଭୋଗୁଛନ୍ତି। ଅନ୍ୟ ରାଜ୍ୟ ଗୁଡ଼ିକରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହେଉଥିବାବେଳେ, ଓଡ଼ିଶାରେ କାଇଁ ହେଉନାହିଁ ବୋଲି ସାଧାରଣଲୋକେ ପ୍ରଶ୍ନ କରିଛନ୍ତି। ଏଭଳି ପରିସ୍ଥିତିରେ ଏପ୍ରିଲ ମାସରୁ ପାସେଞ୍ଜର ଟ୍ରେନ୍ ଚଳାଚଳ କରିବା ପାଇଁ ପୂର୍ବତଟ ରେଳବିଭାଗ ନିଷ୍ପତି ନେଇଛି।