ଓଡ଼ିଶା ବିଶ୍ୱବିଦ୍ୟାଳୟ ଅନୁସନ୍ଧାନ ଏବଂ ଅଭିନବୀକରଣ ପ୍ରୋତ୍ସାହନ ଯୋଜନା ଗବେଷଣା ସଂସ୍କୃତିକୁ ବ୍ୟାପକ କରିବ

ଭୁବନେଶ୍ୱର, ଏନ୍ଏନ୍ଏସ୍ : ଓଡ଼ିଶା ବିଶ୍ୱବିଦ୍ୟାଳୟ ଅନୁସନ୍ଧାନ ଏବଂ ଅଭିନବୀକରଣ ପ୍ରୋତ୍ସାହନ ଯୋଜନା ରାଜ୍ୟରେ ଗବେଷଣା ସଂସ୍କୃତିକୁ ବ୍ୟାପକ କରିବ। ଗବେଷଣା ଉଚ୍ଚଶିକ୍ଷାର ମାନଦଣ୍ଡ ଭାବରେ ପରିଗଣିତ ହେଉଥିବାବେଳେ ଏହି ଅଭିନବ ଯୋଜନା ରାଜ୍ୟର ଯୁବକଯୁବତୀଙ୍କୁ ଅଧିକ ଦକ୍ଷ କରି ଗଢ଼ିତୋଳିବା ସହିତ ସେମାନଙ୍କୁ ବିଶ୍ୱସ୍ତରରେ ପହଞ୍ଚାଇବା ଦିଗରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି ।
ଶୁକ୍ରବାର ପୁସ୍ତକ ଭବନଠାରେ ଯୋଜନା ସମ୍ପର୍କରେ ସୂଚନା ପ୍ରଦାନ କରିବା ଅବସରରେ ମନ୍ତ୍ରୀ ଡ. ସାହୁ କହିଛନ୍ତି ଯେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରଣୟନ କରାଯାଇଥିବା ଏହି ଯୋଜନା ରାଜ୍ୟ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ଯୁବ ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ଗବେଷଣା ନିମନ୍ତେ ସାହାଯ୍ୟ କରିବ। ଦୁଇବର୍ଷ ନିମନ୍ତେ ସେମାନଙ୍କୁ ୫ ଲକ୍ଷ ଟଙ୍କାର ସିଡ୍ ଫଣ୍ଡ ପ୍ରଦାନ, ଏନଇଟିରେ ଚୟନ ହୋଇଥିବା ଓ ରାଜ୍ୟ ବିଶ୍ୱବିଦ୍ୟାଳୟ କିମ୍ବା ରାଜ୍ୟ ଶିକ୍ଷାନୁଷ୍ଠାନରେ ପୂର୍ଣ୍ଣକାଳୀନ ଗବେଷଣାରତ ଛାତ୍ରଛାତ୍ରୀଙ୍କୁ ପିଏଚଡିପାଇଁ ୪ ବର୍ଷ ନିମନ୍ତେ ମାସିକ ୧୫ ହଜାର ଟଙ୍କାର ଫେଲୋସିପ୍ ଏବଂ ସନ୍ଦର୍ଭ ପ୍ରକାଶନ ନିମନ୍ତେ ଆର୍ôଥକ ସହାୟତା ପ୍ରଦାନର ବ୍ୟବସ୍ଥା ରହିଛି ଯୋଜନାରେ। ସିଡ୍ ଫଣ୍ଡ ନିମନ୍ତେ ଯୁବ ଅଧ୍ୟାପକଅଧ୍ୟାପିକାମାନଙ୍କ ବୟସ ସୀମା ୪୫ ବର୍ଷ ରଖାଯାଇଛି। ଫେଲୋସିପ୍ ନିମନ୍ତେ ବୟସ ସୀମା ୩୫ ବର୍ଷ ରହିଛି । ଗତବର୍ଷ ଏହି ବୟସସୀମା ଯଥାକ୍ରମେ ୪୦ ଓ ୩୦ ବର୍ଷ ଥିବାବେଳେ ଏବେ ଏହାକୁ ୫ ବର୍ଷ ବୃଦ୍ଧି କରାଯାଇଛି । ଏଥିରେ ମହିଳାମାନଙ୍କ ନିମନ୍ତେ ୪୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଛି । ୩୫ ବିଷୟରେ ଫେଲୋସିପ୍ ପ୍ରଦାନ କରାଯାଉଛି । ୨୦୧୯ ମସିହାରୁ ରାଜ୍ୟ ସରକାର ଏହି ଯୋଜନା ଆରମ୍ଭ କରିଛନ୍ତି । ୨୦୨୦ ବର୍ଷର ଅନୁଦାନ ଚୟନ ନିମନ୍ତେ ପ୍ରସ୍ତାବ ଉପସ୍ଥାପନ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଏଥିପାଇଁ ଡିସେମ୍ବର ୨୦୨୦ରେ ବିଜ୍ଞାପନ ପ୍ରକାଶ ପାଇଥିଲା । ଏଥିରେ ୧୬୬ଟି ଆବେଦନ ପତ୍ର ମିଳିଥିବାବେଳେ ୧୩ଟି ଆବେଦନ ଅନୁପଯୁକ୍ତ ଥିବାରୁ ଖାରଜ ହୋଇଯାଇଥିଲା । ୧୫୩ଟି ପ୍ରସ୍ତାବକୁ ଅଭିଜ୍ଞ ବିଶେଷଜ୍ଞ ମଣ୍ଡଳୀ ଦ୍ୱାରା ସମୀକ୍ଷା କରାଯାଇଥିଲା । ଏଥିରୁ ବଛାଯାଇଥିବା ୧୦୬ଟି ପ୍ରସ୍ତାବ ଚୟନ କମିଟି ସମ୍ମୁଖରେ ଉପସ୍ଥାପନ କରାଯିବ । ଏହି କାର୍ଯ୍ୟ ମାର୍ଚ୍ଚ ୧୨ରୁ ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ ଏବଂ ଏଥି ମଧ୍ୟରୁ ସିଡ୍ ଫଣ୍ଡ ଅନୁଦାନ ନିମନ୍ତେ ୪୦ଟି ପ୍ରସ୍ତାବକୁ ଚୟନ କରାଯିବ । ଏହି ଯୋଜନା ରାଜ୍ୟରେ ଗବେଷଣା ନିମନ୍ତେ ଏକ ନୂତନ ବାତାବରଣ ସୃଷ୍ଟିକରଛି। ରାଜ୍ୟର ଶିକ୍ଷାନୁଷ୍ଠାନଗୁଡ଼ିକରୁ ଉତ୍ତୀର୍ଣ୍ଣ ହୋଇ ଦେଶବିଦେଶରେ ଗବେଷଣା କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ଅନେକ ପୁରାତନ ଛାତ୍ରଛାତ୍ରୀ ରାଜ୍ୟ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଗବେଷଣା ଦିଗରେ ସହଯୋଗ କରିବା ନିମନ୍ତେ ଆଗ୍ରହ ପ୍ରକାଶ କରିଛନ୍ତି ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ ।
ଏହି ଅବସରରେ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଦାସ ଯୋଜନାର ବିଭିନ୍ନ ଦିଗ ସମ୍ପର୍କରେ ବିଶଦ ଭାବରେ ଆଲୋଚନା କରିବା ସହିତ ଏହାଦ୍ୱାରା ରାଜ୍ୟର ଯୁବ ଗବେଷକମାନେ ବହୁଳ ଭାବେ ଉପକୃତ ହେବେ ବୋଲି କହିଥିଲେ।