ଦୁର୍ନୀତି ପ୍ରସଙ୍ଗ ଉଠାଇଥିବାରୁ କୁଳମଣିଙ୍କୁ ହତ୍ୟା: ଧର୍ମେନ୍ଦ୍ର

ଭୁବନେଶ୍ୱର,ଏନ୍ଏନ୍ଏସ୍: ମାହାଙ୍ଗାରେ ବିଜେପି ନେତା କୁଳମଣି ବରାଳ ଓ ସହଯୋଗୀ ଦିବ୍ୟସିଂହ ବରାଳଙ୍କ ହତ୍ୟା ଘଟଣାରେ ଆଜି ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆବଣ୍ଟନରେ ହୋଇଥିବା ବ୍ୟାପକ ଦୁର୍ନୀତିକୁ ପଦାକୁ ଆଣି କୁଳମଣି ରାଜନୈତିକ ହତ୍ୟାର ଶିକାର ହୋଇଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ଶ୍ରୀ ପ୍ରଧାନ ଦୁଃଖପ୍ରକାଶ କରି କହିଛନ୍ତି ଯେ, ନିକଟରେ ଜାନୁଆରୀ ୧ତାରିଖରେ କୁଳମଣି ବରାଳ ତାଙ୍କୁ ନବ ବର୍ଷର ଶୁଭେଚ୍ଛା ଜଣାଇବାକୁ ଆସିଥିଲେ। ଶ୍ରୀ ବରାଳଙ୍କ ଠାରୁ ସେ ଆଶୀର୍ବାଦ ମଧ୍ୟ ଗ୍ରହଣ କରିଥିଲେ। ଦିନ କେଇଟା ପରେ ତାଙ୍କର ବିୟୋଗ ଘଟିବା ବେଶ୍ କଷ୍ଟ ଦେଇଥିବା ବେଳେ ଏହା ଏକ ବ୍ୟକ୍ତିଗତ କ୍ଷତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାର ବିକାଶ ଲାଗି ବେଶ୍ ତତ୍ପର। ଲକ୍ଷଲକ୍ଷ ସଂଖ୍ୟାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସେ ଓଡ଼ିଶାର ଗରିବ ଲୋକଙ୍କୁ ଘର ଯୋଗାଉଛନ୍ତି। ହେଲେ ଏଠି ସେସବୁର ବାଟ ମାରଣା ହେଉଛି। ଦୁର୍ନୀତି କରାଯାଇ ଅପାତ୍ରଙ୍କୁ ଘର ପ୍ରଦାନ କରାଯାଉଛି। ମାହାଙ୍ଗା ବ୍ଲକ ତଥା ନୃତଙ୍ଗ ପଞ୍ଚାୟତରେ ଏହି କାର୍ଯ୍ୟକଳାପ ଜୋର ଧରିଥିବା ବେଳେ ସାମ୍ନାକୁ ଆସି ସେବୁର ପର୍ଦ୍ଦାଫାଶ କରିଥିଲେ କୁଳମଣି ବରାଳ। ବିଗତ ୪ ବର୍ଷ ଧରି ସେ ଏହି ଲଢ଼େଇ ଲଢ଼ିଆସୁଛନ୍ତି। ତେଣୁ ଏହାକୁ ସହ୍ୟ କରନପାରି ସ୍ଥାନୀୟ ପ୍ରଭାବଶାଳୀ ନେତାଙ୍କ ପ୍ରରୋଚନାରେ କୁଳମଣି ଓ ତାଙ୍କ ସାଥୀଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି ବୋଲି ଶ୍ରୀ ପ୍ରଧାନ ଜଣାଇଛନ୍ତି।